ଅନୁଗୋଳ: ଜଳିଗଲା ସୁନ୍ଦରଗଡର ପୂର୍ବତନ ବିଧାୟକ ଯୋଗେଶ ସିଂହଙ୍କ କାର । ଏକ ବଡ ଧରଣର ଦୁର୍ଘଟଣାରୁ ବଞ୍ଚିଯାଇଛନ୍ତି ଯୋଗେଶ । ତାଙ୍କ ସହ ଅନ୍ୟ 3 ଜଣ ଗୁରୁତର ଆହତ ହୋଇଛନ୍ତି । ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଆହତଙ୍କୁ ପ୍ରଥମେ ଅନୁଗୋଳ ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ମୁତାବକ, ସୁନ୍ଦରଗଡ଼ରୁ ଭୁବନେଶ୍ବର ଯାଉଥିବାବେଳେ ଅନୁଗୋଳ ମୈଧରପୁର ପେଟ୍ରୋଲ ପମ୍ପ ନିକଟରେ ଘଟିଛି ଏହି ଦୁର୍ଘଟଣା । ସାମ୍ନାପଟୁ ଏକ ଟ୍ରକ ଦ୍ରୁତଗତିରେ ମାଡି ଆସୁଥିବା ଦେଖି କାରଟି ଭାରସାମ୍ୟ ହରାଇଥିଲା । ଏକ ଗଛରେ ପିଟି ହୋଇଥିଲା ଯୋଗେଶଙ୍କ କାର ।
କ୍ଷଣିକ ମଧ୍ୟରେ ହୁତୁହୁତୁ ହୋଇ ଏହା ଜଳିଯାଇଥିଲା । ଦୁର୍ଘଟଣାରେ ଯୋଗେଶଙ୍କ ସୁରକ୍ଷାକର୍ମୀ ଟଙ୍କଧର ବାଗ, ଡ୍ରାଇଭର ବିକ୍ରମ ପ୍ରତାପ ରାଉତ ଓ ଅନ୍ୟଜଣେ ସହଯୋଗୀ ପ୍ରଦୀପ କୁମାର ସାହୁ ଗୁରୁତର ହୋଇଛନ୍ତି ।
ଖବର ପାଇଁ ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଆହତଙ୍କୁ ଉଦ୍ଧାର କରିଥିଲା । ସମସ୍ତ ଆହତଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯାଇ କଟକ ପଠାଇ ଦିଆଯାଇଛି । ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ ଡାକ୍ତରଖାନାରେ ପହଞ୍ଚି ବିଧାୟକଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଏହାସହ କଟକ ସ୍ଥାନାନ୍ତର ପାଇଁ ଆନୁସଙ୍ଗିକ ବ୍ୟବସ୍ଥା କରିଥିଲେ ।
କଂଗ୍ରେସ ଦଳରୁ ବିଧାୟକ ହୋଇଥିବା ଯୋଗେଶ ନିକଟରେ ଦଳ ଓ ପଦରୁ ଇସ୍ତଫା ଦେଇ ବିଜେଡିରେ ମିଶିଥିଲେ । ଆଗକୁ ସେ ବିଜେଡି ଟିକେଟରେ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହେଉଛି । ଦୁର୍ଘଟଣାର ଖବର ପରେ ସମର୍ଥକ ଯୋଗେଶଙ୍କ ଆରୋଗ୍ୟ କାମନା କରିଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ