ରାଉରକେଲା: ଦିନକୁ ଦିନ ବଢ଼ିବାରେ ଲାଗିଛି ସ୍କ୍ରବ୍ ଟାଇଫସ୍ ଆତଙ୍କ । ଭୟଙ୍କର ରୂପ ନେବାରେ ଲାଗିଛି ଏହି ରୋଗ। ତେବେ ସୁନ୍ଦରଗଡ ଜିଲ୍ଲାରେ ବ୍ୟାପକ ହେବାରେ ଲାଗିଛି ସ୍କ୍ରବ୍ ଟାଇଫସ୍। 24 ଘଣ୍ଟା ମଧ୍ୟରେ 7 ଜଣ ରୋଗୀ ଚିହ୍ନଟ। ସେପଟେ ରୋଗକୁ ନେଇ ସଚେତନତାର କରିବା, ଜରୁରୀ ଆବଶ୍ୟକତା ଉପରେ ଆଲୋକପାତ କରିବା, ନିବାରଣ ଏବଂ ସ୍ୱାସ୍ଥ୍ୟସେବା ଭିର୍ତ୍ତିଭୂମି ତିଆରିକୁ ନେଇ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି।
ତେବେ ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲାରେ 139 ଜଣ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ ହୋଇଛନ୍ତି। ମାତ୍ର ଗୋଟିଏ ଦିନରେ 7 ଜଣ ନୂଆ ଆକ୍ରନ୍ତ ଚିହ୍ନଟ ହେବା ପରେ ପରିସ୍ଥିତି ଉଦ୍ବେଗଜନକ ମୋଡ଼ ନେଇଛି । ଏହାଫଳରେ 2023 ଜାନୁଆରୀରୁ 2023 ସେପ୍ଟେମ୍ବର 16 ପର୍ଯ୍ୟନ୍ତ ସୁନ୍ଦରଗଡ଼ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 139 ରେ ପହଞ୍ଚିଛି । ବର୍ତ୍ତମାନ ଜାରି ରହିଥିବା ନିରୀକ୍ଷଣ ପ୍ରୟାସର 41ଟି ରକ୍ତ ନମୁନା ମଧ୍ୟରୁ ପ୍ରାୟ ଏକ ଷଷ୍ଠାଂଶ ସ୍କ୍ରବ୍ ଟାଇଫସ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଚିକିତ୍ସାଳୟରୁ ରକ୍ତ ନମୁନା ସଂଗ୍ରହ ହେଉଥିବା ବେଳେ ଏହା କେବଳ ସୁନ୍ଦରଗଡ଼ ଜିଲ୍ଲାର ମାତ୍ର ଦୁଇଟି ଜାଗାରେ ପରୀକ୍ଷା କରାଯାଉଛି। ସେ ଦୁଇଟି ହେଉଛି ସୁନ୍ଦରଗଡ଼ ସଦର ମହକୁମା ଓ ରାଉରକେଲା ସରକାରୀ ହସ୍ପିଟାଲ ।
ଏହା ମଧ୍ୟ ପଡ଼ନ୍ତୁ....ସୁନ୍ଦରଗଡ଼ରେ ସ୍କ୍ରବ ଟାଇଫସ, ଜ୍ବର କି ଥଣ୍ଡା ହେଲେ ତୁରନ୍ତ ପରୀକ୍ଷା କରିବାକୁ ସ୍ବାସ୍ଥ୍ଯ ବିଭାର ନିର୍ଦ୍ଦେଶ
ତେବେ ରୋଗ ଚିଗର ପୋକ କାମୁଡ଼ିବା ଦ୍ବାରା ହୋଇଥାଏ। ପ୍ରାୟତଃ ଜଙ୍ଗଲ ଓ ଜମିକୁ ଯାଉଥିବା ଲୋକଙ୍କୁ ଏହି ପୋକ ଅଧିକ କାମୁଡି ଥିବା ଜଣାପଡିଛି । ଏହି ପୋକ କାମୁଡିବା ଫଳରେ ତୀବ୍ର ଜ୍ଵର ସାଙ୍ଗକୁ ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା ଏବଂ ତଳି ପେଟ ବଥା ହେବା ଓ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିବାର ଲକ୍ଷଣ ଦେଖାଯାଏ । ଚିଗର କାମୁଡ଼ିବା ସ୍ଥାନରେ ଘା' ହେବା ସହିତ ସ୍କିନରେ ଇନଫେକ୍ସନ ଭଳି ଲକ୍ଷଣ ଦେଖାଯାଏ । ଏହି ରୋଗୀ ଗ୍ରାମାଞ୍ଚଳରେ ଅଧିକ ଦେଖା ଦେଇଥିବା ଜଣା ପଡିଛି । ତେବେ ଲୋକଙ୍କୁ ଏହି ପୋକ ନିକଟରୁ ଦୁରେଇ ରହିବାକୁ ପରାମର୍ଶ ଦିଆଯାଇଛି । ଏହାସହ ଜମିକୁ ଯିବା ପୂର୍ବରୁ ପୋକ ଠାରୁ ରକ୍ଷା ପାଇବା ପାଇଁ ଦେହରେ କ୍ରିମ ବା ଔଷଧ ଲଗାଇବା ଏବଂ ଫୁଲ ଶାର୍ଟ, ପେଣ୍ଟ ପିନ୍ଧିବା, ଜମିରୁ ବା ବିଲରୁ ଆସି ଭଲକରି ଗାଧୋଇବା ସହ ସଚେତନତା ବୃଦ୍ଧି, ଆଗୁଆ ରୋଗ ନିର୍ଣ୍ଣୟ, ଠିକ୍ ସମୟରେ ଚିକିତ୍ସା ଏହି ରୋଗର ମୁକାବିଲା ପାଇଁ ମୁଖ୍ୟ ମାଧ୍ୟମ ବୋଲି କହିଛନ୍ତି ଜିଲ୍ଲା ଚିକିତ୍ସା ଅଧିକାରୀ ।
ଇଟିଭି ଭାରତ, ସୁନ୍ଦରଗଡ଼