ରାଉରକେଲା: ତେଜିଲା ବିଶ୍ୱବିଦ୍ୟାଳୟ ଦାବି । ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ରାଉରକେଲାକୁ ଅବହେଳା କରୁଥିବା ନେଇ ନେଇ ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ । ବୁଧବାର ବିଶ୍ୱ ବିଦ୍ୟାଳୟ ଏବଂ କ୍ରୀଡା ବିଶ୍ୱ ବିଦ୍ୟାଳୟ ଦାବି ନେଇ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାରେ ବିଶ୍ୱ ବିଦ୍ୟାଳୟ ସ୍ଥାପନ କରିବା ଦାବି ନେଇ ବର୍ତ୍ତମାନ ସ୍ୱର ଉଠିଲାଣି । ରାଜ୍ୟର ବିଭିନ୍ନ ସ୍ଥାନରେ ବିଭିନ୍ନ କଲେଜକୁ ବିଶ୍ୱ ବିଦ୍ୟାଳୟ ଘୋଷଣା କରୁଥିବା ବେଳେ ରାଉରକେଲା ସହରରେ ମଧ୍ୟ ରାଜ୍ୟ ସରକାର ଏହାକୁ ନେଇ ପଦକ୍ଷେପ ଗ୍ରହଣ କରି ରାଉରକେଲାରେ ଏକ ବିଶ୍ୱ ବିଦ୍ୟାଳୟ ଏବଂ ଆଉ ଏକ କ୍ରୀଡା ବିଶ୍ୱ ବିଦ୍ୟାଳୟ ନିର୍ମାଣ କରାଯାଉ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ଏନେଇ ବୁଧବାର ରାଉରକେଲା ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ରାଉରକେଲାକୁ ସବୁ କ୍ଷେତ୍ରରେ କାହିଁକି ଅବହେଳା କରାଯାଉଛି ଏବଂ ରାଉରକେଲାକୁ ସରକାର କାହିଁକି ସାବତ ପୁଅ ଭାବୁିଛନ୍ତି ବୋଲି କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଯୁବ କଂଗ୍ରେସ ପକ୍ଷରୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି ।
ଏନେଇ କଂଗ୍ରେସ ପକ୍ଷରୁ କୁହାଯାଇଛି, " ପାନପୋଷ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସୁନ୍ଦରଗଡ଼ ଜିଲ୍ଲାର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଏବଂ ଏହି ଶିକ୍ଷା ଅନୁଷ୍ଠାନରେ ଶିକ୍ଷା ଲାଭ କରିବା ପାଇଁ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଉତ୍ସାହ ଭରି ରହିଥାଏ ତେଣୁ ଏହି ପାନପୋଷ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ବିଶ୍ୱ ବିଦ୍ୟାଳୟ ସ୍ଥାପନ ସମ୍ପୂର୍ଣ୍ଣ ଉପଯୁକ୍ତ । ତେଣୁ ରାଉରକେଲାରେ ବିଶ୍ୱ ବିଦ୍ୟାଳୟ ସ୍ଥାପନ କରନ୍ତୁ ସରକାର ଏବଂ ଅନ୍ୟ ପକ୍ଷରେ ରାଉରକେଲାରେ ଏକ କ୍ରୀଡା ବିଶ୍ୱ ବିଦ୍ୟାଳୟ ମଧ୍ୟ ନିର୍ମାଣ କରାଯାଉ ।
କାରଣ ରାଉରକେଲାରେ ହକି ବିଶ୍ୱକପ ଆୟୋଜନ ହେବା ପରେ ଆଗାମୀ ଦିନରେ ରାଉରକେଲା ସହରରେ ହକିର ବହୁ ମ୍ୟାଚ ଖେଳାଯିବ ଏବଂ ହକିରେ ବହୁ ଖେଳାଳି ସୁନ୍ଦରଗଡ ଜିଲ୍ଲାର ଗର୍ବ ଗୌରବ ପାଲଟିଛନ୍ତି । କେବେଳ ହକି ନୁହେଁ କ୍ରିକେଟ, ଫୁଟବଲ ଏବଂ ଅନ୍ୟାନ୍ୟ ସ୍ପୋର୍ଟସରେ ମଧ୍ୟ ବହୁ ଖେଳାଳି ରାଜ୍ୟ ସ୍ତରୀୟ ତଥା ଜାତୀୟ ସ୍ତରରେ ନିଜର ପ୍ରତିଭା ଦେଖାଇଛନ୍ତି। ତେଣୁ ରାଉରକେଲା ସହରରେ ଏକ କ୍ରୀଡା ବିଶ୍ୱ ବିଦ୍ୟାଳୟ ନିର୍ମାଣ କରାଯାଉ । ଏହା ଦ୍ବାରା ସୁନ୍ଦରଗଡ଼ ଜିଲ୍ଲା ସମେତ ପଶ୍ଚିମ ଓଡିଶାର ଖେଳାଳିଙ୍କୁ ସାହାଯ୍ୟ ମିଳି ପାରିବ।"
ଅନ୍ୟପଟେ ରାଜ୍ୟସରକାରଙ୍କୁ କଂଗ୍ରେସ ପ୍ରଶ୍ନ କରିଛି, "ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ବିଶ୍ୱ ବିଦ୍ୟାଳୟ ସ୍ଥାପନ ହୋଇ ପାରୁଛି ତେବେ ରାଉରକେଲାରେ କାହିଁକି ବିଶ୍ବବିଦ୍ୟାଳୟ ହୋଇପାରୁ ନାହିଁ, ତାହା ସରକାର ସ୍ପଷ୍ଟ କରନ୍ତୁ । "
ଇଟିଭି ଭାରତ, ରାଉରକେଲା