ରାଉରକେଲା: ରାଉରକେଲା ବିମାନ ବନ୍ଦରକୁ ଅବହେଳା । ଉଦଘାଟନ ହେବାର ପାଞ୍ଚ ମାସ ବିତିଲା କିନ୍ତୁ ଆଜି ପର୍ଯ୍ୟନ୍ତ ଦୂର ହୋଇ ପାରି ନାହିଁ ଅସୁବିଧା । ଗୋଟିଏ ଏୟାରପୋର୍ଟକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ଆବଶ୍ୟକୀୟ ସରଞ୍ଜାମ ଏପର୍ଯ୍ୟନ୍ତ ଲାଗି ପାରିନାହିଁ । ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଏୟାରପୋର୍ଟ ପ୍ରତି ଅବହେଳା କରୁଥିବା ସହରବାସୀ ଅଭିଯୋଗ କରିଛନ୍ତି । ବହୁ ଅପେକ୍ଷା ପରେ ଏୟାରପୋର୍ଟ ସ୍ଥାପନ ପାଇଁ ରାଉରକେଲାବାସୀ ଏବଂ ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କ ଦାବି ପୂରଣ ହୋଇଥିଲା ।
ରାଉରକେଲାରେ ବିମାନବନ୍ଦର ମଧ୍ୟ ନିର୍ମାଣ କରାଯାଇଥିଲା । ଏଠାରୁ ବିମାନ ବି ଉଡିଲା । କିନ୍ତୁ ସହରବାସୀ ଏହାର ଆଜି ପର୍ଯ୍ୟନ୍ତ ଲାଭ ପାଇ କରି ନାହାନ୍ତି । ବିମାନ ବନ୍ଦରର ଉଦଘାଟନ କରାଯାଇଛି ହେଲେ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରି ପାରିନି ବିମାନବନ୍ଦର । ରାଉରକେଲା ବିମାନ ବନ୍ଦରକୁ ପରିଚାଳନା କରୁଥିବା ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ମଧ୍ୟ ଫେଲ୍ ମାରିଥିବା ଅଭିଯୋଗ ହୋଇଛି ।
ରାଉରକେଲା ଏୟାରପୋର୍ଟର ସମସ୍ୟା: ରାଉରକେଲା ଏୟାରପୋର୍ଟରେ ଲ୍ୟାଣ୍ଡିଂ ଓ ଟେକ୍ଅଫ୍ ବେଳେ ସମସ୍ୟା ଦେଖିବାକୁ ମିଳୁଛି । ପାଗ ହାଲୁକା ଧୂସର ବା ମେଘୁଆ ରହିଲେ ଉଡାଣ ଏବଂ ଲ୍ୟାଣ୍ଡିଂରେ ସମସ୍ୟା ଦେଖାଯାଏ । ବିଶ୍ୱକପ ସମୟରେ ମଧ୍ୟ ପାଗ ଖରାପ ଥିବାରୁ ସମସ୍ତ ଟିମ୍ ଏଠାରେ ଲ୍ୟାଣ୍ଡି ବା ଟେକ୍ ଅଫ ସମୟରେ ବହୁ ଅସୁବିଧା ର ସମ୍ମୁଖୀନ ହେବାକୁ ପଡିଥିଲା । କିଛି ଟିମ ଏବଂ ଯାତ୍ରୀ ଝାରସୁଗୁଡାରେ ଲ୍ୟାଣ୍ଡ୍ କରି ରାଉରକେଲାକୁ ଆସିବାକୁ ପଡୁଥିଲା । ସେହିଭଳି ପରିସ୍ଥିତି ବର୍ତ୍ତମାନ ମଧ୍ୟ ଲାଗି ରହୁଛି ରାଉରକେଲା ଏୟାରପୋର୍ଟରେ ବହୁ ସମୟରେ ବର୍ଷା ପାଗ ଯୋଗୁଁ ପାଗ ଧୂସର ବା କୁହୁଡ଼ି ହେଲେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ବହୁ ଦିନରୁ ଲୋକେ ଦାବି କରୁଛନ୍ତି ଯେ ଏହି ରାଉରକେଲା ବିମାନ ବନ୍ଦରରେ ନାଇଟ ଲ୍ୟାଣ୍ଡିିଂ ବ୍ୟବସ୍ଥା ସହ ଆଇଏଲଏସ (instrumental landing system) ବ୍ୟବସ୍ଥା କରାଯାଉ । କିନ୍ତୁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଏହାକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି ସହରବାସୀ ।
ନାଗରିକ ସୁରକ୍ଷା ମଞ୍ଚ ସଭାପତି ବିଷ୍ଣୁ ମହାନ୍ତି କହିଛନ୍ତି, "ଯେଉଁଠି କୋଟିକୋଟି ଟଙ୍କାର ନୂଆ ପ୍ରକଳ୍ପ ନିର୍ମାଣ କରାଯାଉଛି ସେଠାରେ ମାତ୍ର ଆଉ କିଛି କୋଟି ଟଙ୍କାର ଖର୍ଚ୍ଚ ପାଇଁ ସରକାର ପଛ ଘୁଞ୍ଚା ଦେଉଛନ୍ତି । ନାଇଟ ଲ୍ୟାଣ୍ଡିଂ ବ୍ୟବସ୍ଥା ସହ, ଆଇଏଲଏସ ମେସିନ ବ୍ୟବସ୍ଥା କରାଯାଉନାହିଁ । ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ରାଉରକେଲା ବିମାନ ବନ୍ଦରକୁ ଅବହେଳା କରୁଛନ୍ତି । ତେବେ ରାଉରକେଲା ଏୟାରପୋର୍ଟରେ ଉନ୍ନତମାନର ଏୟାରପୋର୍ଟ ହେବା ଦରକାର ।"
ଇଟିଭି ଭାରତ, ରାଉରକେଲା