ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା ବଣେଇ ଉପଖଣ୍ଡ ଟିକାୟତ ପାଲି ଥାନା ଅନ୍ତର୍ଗତ ସରସରା ଗ୍ରାମରେ ଗତକାଲି ଭୋର ସମୟରେ ଜଣେ ନବ ବଧୂକୁ ତାର ସ୍ୱାମୀ ଓ ଶ୍ୱଶୁର ହତ୍ୟା କରିଥିବା ଅଭିଯେଗ ହୋଇଛି । ସୁରେସ୍ୱରୀ ବେହେରା(30 ବର୍ଷ)ଙ୍କୁ ତାଙ୍କ ସ୍ୱାମୀ ବିଭୂତି ଭୂଷଣ ବେହେରା ଓ ଶ୍ୱଶୁର ଲକ୍ଷ୍ମଣ ବେହେରା ଶାରୀରିକ, ମାନସିକ ଓ ଯୌତୁକ ନିର୍ଯାତନା ଦେଇ ଆସୁଥିବା ବେଳେ ଗତକାଲି ଭୋର ସମୟରେ ତାକୁ ମାରି ଦେଇଛନ୍ତି ବୋଲି ସୁରେଶ୍ୱରୀଙ୍କ ମା’ ସୁକାନ୍ତି ବେହେରା ଅଭିଯୋଗ କରିଛନ୍ତି ।
ସୁରେଶ୍ୱରୀର ବାପାଙ୍କ ଘର ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ ତାଳମୁଣ୍ଡା । ସେ ଗତ 5 ମାସ ତଳେ ଟିକାୟତପାଲି ସରସରା ଗାଁର ବିଭୂତିକୁ ବିବାହ କରିଥିଲେ । ସୁରେସ୍ୱରୀଙ୍କ ଘରୁ କିଛି କୋଳାହଳ ଶୁଣା ନଯିବାରୁ ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ହୋଇଥିଲା । କେତେକ ପଡୋଶୀ ସୁରେସ୍ୱରୀକୁ ଡାକିଥିଲେ ହେଲେ କୌଣସି ଉତ୍ତର ନପାଇବାରୁ ତାଙ୍କ ଝରକା ବାଟେ ଦେଖିଥିଲେ । ତେବେ ସୁରେଶ୍ୱରୀକୁ ସେମାନେ ଝୁଲନ୍ତା ଅବସ୍ଥାରେ ଠାବ କରିବା ସହ ଟିକାୟତପାଲି ପୋଲିସକୁ ଜଣାଇଥିଲେ । ଘଟଣା ଜାଣିବା ପରେ ଟିକାୟତପାଲି ପୋଲିସ, ବଣାଇ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଓ ବଣାଇ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ ଘଟଣା ସ୍ଥଳରେ ପହଞ୍ଚି କବାଟ ତାଡି ଝୁଲନ୍ତା ମୃତ ଦେହକୁ ଉଦ୍ଧାର କରିବାସହ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଚଳାଇଛନ୍ତି ।
ତେବେ ଗତକାଲି ଠାରୁ ଫେରାର ଥିବା ସୁରେଶ୍ୱରୀର ସ୍ୱାମୀ ବିଭୂତି ଭୂଷଣ ବେହେରା ଓରଫ ମିଥୁନ ଓ ତା ଶ୍ୱଶୁର ଲକ୍ଷ୍ମଣ ବେହେରାକୁ ଆଜି ଟିକାୟତପାଲି ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି । ଦୁହେଁ ହତ୍ୟାକାଣ୍ଡ ଘଟାଇବା ପରେ ଭୋରରୁ ଫେରାର ହୋଇ ଯାଇଥିଲେ । ତେବେ ମୃତଦେହ ବ୍ୟବଚ୍ଛେଦର ରିପୋର୍ଟ ଆସିବାପରେ ହତ୍ୟାର ସଂପୂର୍ଣ୍ଣ ତଥ୍ୟ ପଦାକୁ ଆସିବ ବୋଲି ବଣାଇ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କହିଛନ୍ତି । ତେବେ ଅଭିଯୁକ୍ତ ବିଭୂତି ଭୂଷଣ ବେହେରା ଓ ଲକ୍ଷ୍ମଣ ବେହେରା ନାମରେ ପୂର୍ବରୁ ଅନେକ ସଂଙ୍ଗୀନ ଅଭିଯୋଗ ଥିବା କଥା ପୋଲିସ କହିଛି । ଟିକାୟତ ପାଲି ପୋଲିସ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରି ବଣାଇ ଡାକ୍ତରଖାନାକୁ ଡାକ୍ତରୀ ପରୀକ୍ଷା ପାଇଁ ନେଇଥିବା କଥା ଏହି ଘଟଣାର ତଦନ୍ତକାରୀ ଅଫିସର କହିଛନ୍ତି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ