ସୁନ୍ଦରଗଡ଼: ଜନ୍ମ ମାଟିରେ ପହଞ୍ଚିଲେ ଟୋକିଓ ଅଲମ୍ପିକ୍ସରେ ପଦକ ହାସଲ କରି ରାଜ୍ୟର ନାଁ ଟେକ ରଖିଥିବା ସୁନ୍ଦରଗଡ଼ର ଓଡ଼ିଆ ହକି ଖେଳାଳି । ୪ ହକି ଖେଳାଳିଙ୍କୁ ଜିଲ୍ଲାରେ ପହଞ୍ଚିବା ପରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଏକ ଶୋଭାଯାତ୍ରାରେ ଅଲମ୍ପିଆନ ବିରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ଦୀପ ଗ୍ରେସ ଏକ୍କା ଓ ନମିତା ଟପ୍ପୋଙ୍କୁ ପାଛୋଟି ନିଆଯାଇଛି । ଗତକାଲି (ଶନିବାର) ୪ ଅଲମ୍ପିଆନ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିଥିଲେ ।
ସୁନ୍ଦରଗଡ଼ ସହରର ପାରିଜାତ ପାର୍କରୁ ସର୍କିଟ ହାଉସ ପର୍ଯ୍ୟନ୍ତ ଅଲମ୍ପିଆନମାନଙ୍କ ଫେରିବା ଶୋଭାଯାତ୍ରା ଜାରି ରହିଥିଲା । ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ବିକାଶ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୪ ଅଲମ୍ପିଆନ ଯୋଗଦେଇଥିଲେ । ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସାଧାରଣ ଜନତାଙ୍କ ସହ ସାମିଲ ହୋଇଥିଲେ କ୍ରୀଡ଼ାପ୍ରେମୀ, ଛାତ୍ରଛାତ୍ରୀ । ଏହାଛଡ଼ା ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ ।
ନିଜ ଜନ୍ମମାଟିକୁ ଫେରିବା ପରେ ୪ ଓଡ଼ିଆ ଅଲମ୍ପିଆନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମଳିଥିଲା । ନିଜ ଗାଁ ମାଟିରେ ସମ୍ମାନ ପାଇ ୪ ଅଲମ୍ପିଆନ ଆତ୍ମ ବିଭୋର ହୋଇ ପଡ଼ିଥିଲେ । ଟୋକିଓରେ ଭାରତୀୟ ହକି ଦଳର ଦମଦାର୍ ପ୍ରଦର୍ଶନ ପରେ ସୁନ୍ଦରଗଡ଼ର ଆବାଳ ବୃଦ୍ଧବନିତା ୪ ହକି ଖେଳାଳିଙ୍କ ଅପେକ୍ଷାରେ ରହିଥିଲେ । ବାଜା ରୋଷଣୀ ସହ ଅଲମ୍ପିଆନଙ୍କ ସ୍ବାଗତ କରାଯାଇଛି । ଅମିତ ରୋହିଦାସଙ୍କ ଗ୍ରାମ ସଉନା ମୋରରେ ସ୍ଥାନୀୟ ପ୍ରଶାସନ ଓ ଗ୍ରାମବାସୀଙ୍କ ଦ୍ବାରା ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।
ଆୟୋଜିତ ସଭାରେ ସୁନ୍ଦରଗଡ଼ ଜିଲ୍ଲାପାଳ ଓଡ଼ିଆ ଅଲମ୍ପିଆନଙ୍କ ଭୁରିଭୁରି ପ୍ରଶଂସା କରିବା ସହ ସେମାନଙ୍କ ପାଇଁ ସାରା ରାଜ୍ୟ ଗର୍ବିତ ବୋଲି କହିଛନ୍ତି । ଟୋକିଓ ଅଲମ୍ପିକ ଗେମ୍ସରେ ଭାରତ ଜର୍ମାନୀକୁ ୫-୪ ଗୋଲରେ ମାତ ଦେଇ କାଂସ୍ୟ ପଦକ ହାସଲ କରିଛି । ସେପଟେ ମହିଳା ହକି ଦଳ ପ୍ରଥମ ଥର ଅଲମ୍ପିକ୍ସ ଭଳି ପ୍ରତିଯୋଗିତାରେ ସେମିଫାଇନାଲରେ ପହଞ୍ଚି ପାରିଥିଲା । କାଂସ୍ୟ ପଦକ ମ୍ୟାଚରେ ଅଳ୍ପକେ ଭାରତୀୟ ମହିଳା ଦଳ ଗ୍ରେଟ ବ୍ରିଟେନ ଠାରୁ ପରାଜିତ ହୋଇଥିଲା । ଯାହାକୁ ନେଇ ମ୍ୟାଚ ପରେ ମହିଳା ଦଳ କ୍ୟାମ୍ପରେ ନିରାଶାର ମାହୋଲ ରହିଥିଲା ।
ଏହାପରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ଦଳକୁ ଅଗଷ୍ଟ ୧୭ ତାରିଖରେ ଓଡ଼ିଶାକୁ ନିମନ୍ତ୍ରଣ କରି ସମ୍ବର୍ଦ୍ଧିତ କରିଥିଲେ । ଏହାସହ ଆଗାମୀ ୧୦ ବର୍ଷ ଓଡ଼ିଶା ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ବୋଲି ଘୋଷଣା କରିଥିଲେ ।
ସୁନ୍ଦରଗଡ଼ରୁ ହରିହର ଦାସମହାପାତ୍ର, ଇଟିଭି ଭାରତ