ସୁନ୍ଦରଗଡ: ରାଜଗାଙ୍ଗପୁର ବୁଢ଼ାମ୍ବ ହତ୍ୟାକାଣ୍ଡ ଘଟଣାରେ 5 ଗିରଫ। ଗତକାଲି( ଶନିବାର) ବିଳମ୍ବିତ ରାତିରେ ଏହି ଅଭିଯୁକ୍ତ ମାନଙ୍କୁ ପୋଲିସ ଗିରଫ କରିଥିଲା ବେଳେ ଆଜି (ରବିବାର)ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି ।
ବୁଢ଼ାମ୍ବ ପଞ୍ଚାୟତର ଢ଼ାଉଟୋଲିରେ ହୋଇଥିଲା ଏହି ଜଘନ୍ୟ କାଣ୍ଡ । ଭଦୁଆ ଲାକ୍ରା ନାମକ ଜଣେ ବ୍ୟକ୍ତିଙ୍କୁ ଘରୁ ଡାକି ନେଇ ପଥରରେ ଛେଚି କରାଯାଇଥିଲା ହତ୍ୟା । ମାର୍ଚ୍ଚ 16 ମଧ୍ୟ ରାତ୍ରୀରେ ଘଟିଥିଲା ଏହି କାଣ୍ଡ । ଏନେଇ ଭଦୁଆଙ୍କ ଭଉଣୀ ଲକ୍ଷ୍ମୀ ଲାକ୍ରା ରାଜଗାଙ୍ଗପୁର ଥାନାରେ ଲିଖିତ ଅଭଯୋଗ କରିଥିଲେ । ଏହି ଘଟଣାର ସଂପୃକ୍ତ ଥିବା ୫ ଜଣ ଅପରାଧୀଙ୍କୁ ( ଜଣେ ନାବାଳକ ସମେତ 4 ଜଣଙ୍କୁ ) ଗିରଫ କରିବାରେ ସଫଳ ହୋଇଛି ରାଜଗାଙ୍ଗପୁର ପୋଲିସ ।
ଢାଉଟୋଲିର ଜଣେ ବ୍ୟକ୍ତି ତିନି ଜଣ ସୁପାରୀ କିଲରଙ୍କ ସାହାଯ୍ୟରେ ( 1 ଲକ୍ଷ ଟଙ୍କା ଖର୍ଚ୍ଚକରି )ଭଦୁଆ ଲାକ୍ରାକୁ ମାର୍ଚ୍ଚ 16 ବିଳମ୍ବିତ ରାତ୍ରୀରେ ଘରୁ ଡାକି ନେଇ ଅତି ନୃଶଂସ ଭାବେ ପଥରରେ ଛେଚି ହତ୍ୟା କରିଥିଲା । ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଗତକାଲି ବିଳମ୍ବିତ ରାତିରେ 5 ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା ।
ତେବେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାପଡିଛି । ପୋଲିସ ଅଭିଯୁକ୍ତ ମାନଙ୍କ ଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ପୋଷାକ ( ନିରାପତ୍ତା ରକ୍ଷୀ ପୋଷାକ ), ଗୋଟିଏ ବାଇକ ଓ 5 ଟି ମୋବାଇଲ ଫୋନକୁ ଜବତ କରିଛି। ଆଜି ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିବ ବୋଲି ଜଣାପଡିଛି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ