ରାଉରକେଲା: ଭୋଜି ବେଳେ ଭୟଙ୍କର ଅଗ୍ନିକାଣ୍ଡ । ଗ୍ୟାସ୍ ଲିକ୍ ହୋଇ ଜଳିଗଲା ଗୋଦାମ ଗୃହ । ଅଗ୍ନିକାଣ୍ଡ ଯୋଗୁଁ ୪ ଜଣ କର୍ମଚାରୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ରାଉରକେଲା ରେଳବାଇ କଲୋନୀରେ ଏଭଳି ଏକ ଅଘଟଣ ଘଟିଥିବା ଜଣାପଡ଼ିଛି । ଗ୍ୟାସ୍ ଲିକ ହେବା ଯୋଗୁଁ ଗୋଦାମ ଗୃହରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ: Migrant girl Missing: ୧୮ବର୍ଷ ଧରି ଯୁବତୀଙ୍କ ମିଳୁନି ପତ୍ତା, ଦାଦନ ଖଟିବା ଲାଗି ଯାଇଥିଲେ ଦିଲ୍ଲୀ
ରାଉରକେଲା ରେଳବାଇ କଲୋନୀ ସ୍ଥିତ ଛୋଟା ପାର୍କ ନିକଟରେ ଥିବା ଭାରତ ଗ୍ୟାସ ଗୋଦାମରେ ଭୋଜି ଚାଲିଥିଲା । ଗୋଦାମ ଘର ଭିତରେ ରୋଷେଇ ଚାଲୁଥିବା ବେଳେ କୌଣସି କାରଣରୁ ଭୋଜି ହେଉଥିବା ସିଲିଣ୍ଡରରୁ ହଠାତ ଗ୍ୟାସ ଲିକ୍ ହୋଇଥିଲା । ଏହାପରେ ନିଆଁ ଲାଗି ଗୋଦାମ ଘରେ ନିଆଁ ଲାଗି ଯାଇଥିଲା । ଫଳରେ ସେଠାରେ ଉପସ୍ଥିତ ଥିବା ଚାରି ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ: ପ୍ରତିଷ୍ଠା ହେବ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ; ବିଶ୍ୱବିଦ୍ୟାଳୟ ଅଧୀନକୁ ଆସିବେ ୧୫୦ରୁ ଅଧିକ କଲେଜ
ତେବେ ଗ୍ୟାସ ଡିଲର ଏକ ପରିତ୍ୟକ୍ତ ଘରେ ଗ୍ୟାସ ରଖି ବ୍ୟବସାୟ କରୁଥିଲେ । ବେଆଇନ ଭାବରେ ବ୍ୟବସାୟ କରୁଥିବା ନେଇ ପୋଲିସ ସନ୍ଦେହ କରୁଛି । ଅଗ୍ନି ପ୍ରତିରୋଧ ବ୍ୟବସ୍ଥା ନାହିଁ କି କୌଣସି ପ୍ରକାର ସୁରକ୍ଷା ବ୍ୟବସ୍ଥା ମଧ୍ୟ ନାହିଁ । ବିନା ସୁବ୍ୟବସ୍ଥାରେ ପ୍ରଶାସନ ନାକ ତଳେ ଚାଲିଥିଲା ଏହି ଗ୍ୟାସ ବ୍ୟବସାୟ । ଏହି ଅଗ୍ନିକାଣ୍ଡରେ ଚାରି ଜଣ ଗୁରୁତରଙ୍କୁ ପ୍ରଥମେ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ଆଇଜିଏଚ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର ସୂଚନା ଦେଇଛନ୍ତି । ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାର ତଦନ୍ତ କରୁଛି । ଅନ୍ୟପଟେ ଅଗ୍ନିକାଣ୍ଡ ଘଟିଥିବା ଗୋଦାମ ଘର ପାଖରୁ ୩୪ଟି କମର୍ସିଆଲ ଏବଂ ୧୦ଟି ୧୪ କେଜି ବିଶିଷ୍ଟ ରୋଷେଇ ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି । ଏ ବାବଦରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
ଇଟିଭି ଭାରତ, ରାଉରକେଲା