ସୁନ୍ଦରଗଡ: ମଙ୍ଗଳବାର ସାରା ଦେଶ 72ତମ ସାଧାରଣତନ୍ତ୍ର ଦିବସ ପାଳନ କରିଛି । ଏପଟେ ଜାତୀୟ ରାଜଧାନୀ ଦିଲ୍ଲୀରେ ହଜାର ହଜାର ଚାଷୀ ଟ୍ରାକ୍ଟର ରାଲି କରି ତାଣ୍ଡବ ରଚିଛନ୍ତି । କୃଷକଙ୍କର ଏହି ଲଢେଇକୁ ସମର୍ଥନ କରି ସୁନ୍ଦରଗଡ ଜିଲ୍ଲା ବଣେଇ ଉପଖଣ୍ଡର କୃଷକମାନେ ରାଜରାସ୍ତାକୁ ଓହ୍ଲାଇଥିଲେ ।
ବଣେଇ ଉପଖଣ୍ଡର ଲହୁଣୀପଡା ବ୍ଲକରୁ ଏକ ବିକ୍ଷୋଭ ରାଲି ବାହାରି ବଣେଇ ବ୍ଲକରେ ପହଞ୍ଚିଥିଲା । 14 କିଲୋମିଟର ବ୍ୟାପି ଟ୍ରାକ୍ଟର ରାଲି କରି କୃଷକମାନେ କେନ୍ଦ୍ର ସରକାରଙ୍କୁ ପ୍ରତ୍ୟକ୍ଷ ଭାବେ ଆକ୍ଷେପ କରି ନାରାବାଜି କରିଥିଲେ । କୃଷକମାନଙ୍କର ଏହି ରାଲିରେ କେତେକ ମହିଳା କୃଷକ ନିଜେ ଟ୍ରାକ୍ଟର ଚାଳନା କରି କୃଷି ଆଇନ ବିରୋଧରେ ସ୍ଲୋଗାନ ଦେଇଛନ୍ତି । କେବଳ କୃଷକ ମାନେ ଏହି ଆଇନ ବିରୁଦ୍ଧରେ ସ୍ବର ଉତ୍ତୋଳନ କରି ନାହିଁନ୍ତି । ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଓ ସିଆଇୟୁଟିର ସର୍ବଭାରତୀୟ ଉପସଭାପତି ବିଷ୍ଣୁ ମହାନ୍ତି ,କୃଷକ – ଶ୍ରମିକ ଐକ୍ୟ ପ୍ରତିଷ୍ଠା କରି କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରିଛନ୍ତି ।
କୃଷକମାନଙ୍କର ଏହି ଲଢେଇକୁ ସମର୍ଥନ କରି ସି.ଆଇ.ଟି.ୟୁ ଲଢେଇରେ ସାମିଲ ହୋଇଥିଲା । କେନ୍ଦ୍ର ସରକାର କରିଥିବା ତିନୋଟି କଳା କୃଷି ଆଇନକୁ ଯଦି ବାତିଲ ନ କରନ୍ତି ତେବେ ଆସନ୍ତା 29 ତାରିଖରେ ରାଜ୍ୟ ରାଜଧାନୀରେ ବିଶାଳ କୃଷକ ବିକ୍ଷୋଭର ସମାବେଶ କରିବ ବୋଲି ସିଆଇଟିୟୁ ଘୋଷଣା କରିଛି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ