ରାଉରକେଲା: ଇସ୍ପାତ ନଗରୀ ରାଉରକେଲାରେ ଆତଙ୍କ ଖେଳାଇଛି ଝାଡ଼ାବାନ୍ତି । ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡ଼ିବା ସହ ରେକର୍ଡ ସଂଖ୍ୟାକ ରୋଗୀ ଚିହ୍ନଟ ହେଉଛନ୍ତି । ଏବେ ସହରବାସୀଙ୍କୁ ଘାରିଛି ହଇଜା ଡର । ଝାଡ଼ାବାନ୍ତି ବ୍ୟାପକ ଭାବରେ ବଢି ହଇଜା ହେବାରେ ଲାଗିଲାଣି । ରାଉରକେଲାରେ ହଇଜା ଆକ୍ରାନ୍ତ ମଧ୍ୟ ଚିହ୍ନଟ ହୋଇଛନ୍ତି । ତେଣୁ ଝାଡାବାନ୍ତି ସାଙ୍ଗକୁ ଏବେ ହଇଜା ସହରବାସୀଙ୍କ ନିଦ ହଜାଇଛି । ଗତକାଲି ରାଉରକେଲାରେ ହଇଜା ରୋଗୀ ଚିହ୍ନଟ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥିତି ସମୀକ୍ଷା କରିଥିଲେ । ଆଜି ସ୍ୱାସ୍ଥ୍ୟ ସଚିବ ଓ ନଗର ଉନ୍ନୟନ ସଚିବ ରାଉରକେଲାରେ ପହଞ୍ଚି ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅନୁଧ୍ୟାନ କରିବେ ।
ରାଉରକେଲାରେ ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଡାଇରିଆରେ ୧ ହଜାରରୁ ଅଧିକ ଆକ୍ରାନ୍ତ ହେଇଥିବାବେଳେ, ବହୁସଂଖ୍ୟାରେ ରୋଗୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସରକାରୀ ରେକର୍ଡ ଅନୁସାରେ ମୃତ୍ୟୁସଂଖ୍ୟା ୬ରେ ପହଞ୍ଚଛି । ସେହିପରି ପ୍ରାୟ ୩୦୦ ଶହରୁ ଊର୍ଦ୍ଧ୍ବ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ବି ପ୍ରାୟ ୫୦ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ଏହାରି ଭିତରେ ଆଜି ସ୍ୱାସ୍ଥ୍ୟ ସଚିବ ଓ ନଗର ଉନ୍ନୟନ ସଚିବ ରାଉରକେଲା ଗସ୍ତରେ ଆସୁଛନ୍ତି । ସେମାନେ ସହରରେ ପହଞ୍ଚି ସ୍ଥିତିର ସମୀକ୍ଷା କରିବେ ଏବଂ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବେ । ରାଉରକେଲାରେ ଏହି ଝାଡ଼ାବାନ୍ତି କିପରି ନିୟନ୍ତ୍ରଣ କରାଯାଇ ପାରିବ ସେନେଇ ବିହିତ ପଦକ୍ଷେପ ଗ୍ରହଣ କରାଯିବ । ଏହାପୂର୍ବରୁ ଗତକାଲି ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଠାରୁ ସ୍ଥିତି ସମ୍ପର୍କରେ ଅବଗତ ହୋଇଥିଲେ ।
ଏହା ମଧ୍ୟ ପଢନ୍ତୁ: ସ୍ମାର୍ଟସିଟି ରାଉରକେଲାରେ ହଇଜା ଆତଙ୍କ; ଗଡୁଛି ମୁଣ୍ଡ, ଭୟରେ ସହରବାସୀ
ଏହା ମଧ୍ୟ ପଢନ୍ତୁ: ରାଉରକେଲାରେ ବ୍ୟାପୁଛି ଝାଡ଼ାବାନ୍ତି; ୬ ମୃତ, ୩୦୦ରୁ ଊର୍ଦ୍ଧ୍ବ ଅସୁସ୍ଥ
ରାଉରକେଲା ସହରରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ସଂଖ୍ୟା ବ୍ୟାପକ ହେବାରେ ଲାଗିଛି । ହଜାରରୁ ଊର୍ଦ୍ଧ୍ବ ରୋଗୀ ଚିହ୍ନଟ ହୋଇଥିବା ସୂଚନା ରହିଛି । ରାଉରକେଲା ମହାନଗର ନିଗମ କମିଶନର କହିଛନ୍ତି ଯେ, ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ଲୋକଙ୍କୁ ଭୟଭୀତ ନହେବାକୁ କୁହାଯାଇଛି । ପାଣିକୁ ଫୁଟାଇ ପିଇବା ଏବଂ ORS ପିଇବା ସହ ସଠିକ ଭାବରେ ନିଜର ଯତ୍ନ ନେବା ପରିଷ୍କାର ପରିଚ୍ଛନ ରହିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି ।
ଇଟିଭି ଭାରତ, ରାଉରକେଲା