ସୁନ୍ଦରଗଡ଼: ମୃତ୍ୟୁ କେତେବେଳେ ଆସିବ ତାହା ସମସ୍ତଙ୍କୁ ଅଜଣା । ମୃତ୍ୟୁ କେବେ କବାଟ ଠକ୍ଠକ୍ କରି ଆସିନଥାଏ । କେଉଁଠି କେତେବେଳେ ବି କାହାର ମୃତ୍ୟୁ ହୋଇଯାଏ । ଏମିତିକି ଘରେ ଶୋଇଥିବା ବେଳେ ହେଉ କିମ୍ବା ବାହାରେ ଗାଡ଼ିମଟର ଚଳାଉଥିବା ବେଳେ କିମ୍ବା କେଉଁଠି ବସିଥିବା ବେଳେ ହେଉ । ତେବେ ଗତକାଲି(ମଙ୍ଗଳବାର) ପାନପୋଷ ରେଳ ଷ୍ଟେସନରେ ଘଟିଛି ଏଭଳି ଏକ ଅସ୍ବଭାବିକ ଘଟଣା । ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରି ବସିଥିବା ବେଳେ ହଠାତ ଜଣଙ୍କର ମୃତ୍ୟୁ ହୋଇଛି ।
ତେବେ ସିମେଣ୍ଟ ଚେୟାରରେ ବସିଥିବା ବ୍ୟକ୍ତି ଜଣଙ୍କୁ ହଠାତ ତଳେ ପଡ଼ିଯିବାର ଦେଖି ଲୋକେ ରେଳବାଇ ପୋଲିସକୁ ଖବର ଦେଇଥିଲେ । ରେଳବାଇ ପୋଲିସ ଚିକିତ୍ସା ପାଇଁ ତାଙ୍କୁ ଆରଜିଏଚକୁ ନେଇ ଯାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ରାଉରକେଲା ରେଳବାଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଛି ।
ତେବେ ମୃତକଙ୍କ ପରିଚୟ ଜଣା ପଡିନାହିଁ କିମ୍ବା ସେ କେଉଁଠାରୁ ଆସିଥିଲେ ବା କେଉଁଆଡେ ଯାଉଥିଲେ ସେ ନେଇ ମଧ୍ୟ ଚିତ୍ର ସ୍ପଷ୍ଟ ହୋଇ ନାହିଁ । କୌଣସି ବ୍ୟକ୍ତି ମୃତକଙ୍କ ପରିଚୟ ପାଇଲେ ରାଉରକେଲା ରେଳବାଇ ଥାନାକୁ ଜଣାଇବା ନେଇ ରାଉରକେଲା ରେଳବାଇ ଥାନା ଅଧିକାରୀ ଅନୁରୋଧ କରିଛନ୍ତି ।
ସୁନ୍ଦରଗଡ଼ରୁ ହରିହର ଦସ ମହାପାତ୍ର, ଇଟିଭି ଭାରତ