ସୁନ୍ଦରଗଡ: ଗତ 13 ତାରିଖରେ ଲୁଟେରା ମାନେ ଲୁଟି ନେଇଥିଲା ବ୍ୟାଙ୍କ । ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଡୁମେରଜୋର SBI ରୁ 6 ଲକ୍ଷ ଟଙ୍କା ଲୁଟି ଲୁଟେରା ମାନେ ଫେରାର ହୋଇଯାଇଥିଲେ । ବନ୍ଧୁକ ଓ ଖଣ୍ଡା ଦେଖାଇ ବ୍ରାଞ୍ଚ ମ୍ୟାନେଜର ଦୀପ୍ତିକାନ୍ତ ମଲ୍ଲିକଙ୍କୁ ଆହତ କରିବାସହ ଅନ୍ୟ କର୍ମଚାରୀଙ୍କୁ ଭୟଭୀତ କରି ଏମାନେ ଲୁଟିଥିଲେ ।
ବୀରମିତ୍ରପୁର ପୋଲିସ ଓ କୁଆଁର ମୁଣ୍ଡା ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ତେବେ ଏହି ଘଟଣାରେ ସଂପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ନେଇ ସୁନ୍ଦରଗଡ ଏସ.ପି. ଏକ ସ୍ୱତନ୍ତ୍ର ଦଳ ଗଠନ କରିଥିଲେ । ଏସପିଙ୍କ ନିର୍ଦ୍ଦେଶରେ ବୀରମିତ୍ରପୁର ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ତିନିଜଣ ଡକାୟତଙ୍କୁ ଗିରଫ କରିବାସହ ସେମାନଙ୍କ ନିକଟରୁ 9 ହଜାର ଟଙ୍କା ଓ ଦୁଇଟି ମୋଟର ସାଇକେଲ, ଦୁଇଟି ମୋବାଇଲ ଫୋନକୁ ଜବତ କରିଛି । ତେବେ ଏବେ ବି ଏହି ଘଟଣାର ମାଷ୍ଟର ମାଇଣ୍ଡ ସହ ଆହୁରି ତିନିଜଣ ଫେରାର ଥିବା କଥା ପୋଲିସ କହିଛି । ଗିରଫ ତିନିଜଣ ଅଭିଯୁକ୍ତ ପୋଲିସ କୋର୍ଟ ଚାଲାଣ କରିଛି ।
ଗିରଫ ଅଭିଯୁକ୍ତ ମାନେ ହେଲେ, ଗୋବିନ୍ଦ ଟପ୍ପୋ, ମୁନ୍ନା ମାଝି ଓ ବିଜୟ ଲାକ୍ରା । ଅଭିଯୁକ୍ତ ଗୋବିନ୍ଦର ଘର ସମ୍ବଲପୁର ଜିଲ୍ଲା ଗୋବିନ୍ଦ ପୁର ଥାନା ଅନ୍ତର୍ଗତ ଲୁହରେନବେର୍ଣ୍ଣା, ମୁନ୍ନା ମାଝିର ଘର ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଫଟା ଟାଙ୍ଗର ଓ ବିଜୟର ଘର ସୁନ୍ଦରଗଡ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ରାଇକଚ୍ଛାର ବୋଲି କୁଆଁରମୁଣ୍ଡା ପୋଲିସ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତଙ୍କ ସୂଚନା ମୁତାବକ ଡକାୟତିର ମାଷ୍ଟର ମାଇଣ୍ଡକୁ ଖୋଜା ଚାଲିଥିବା ଜଣା ପଡିଛି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ