ସୁବର୍ଣ୍ଣପୁର: ଲଛିପୁର ଫରେଷ୍ଟ ବିଟ ହାଉସ ଅଧିନସ୍ଥ ଗୋବିନ୍ଦପୁର ଗାଁରୁ ପ୍ରାୟ 10 କେଜିରୁ ଅଧିକ ବାରହା ମାଂସ ଜବତ କରାଯାଇଛି । ଗାଁର କେତେକ ବ୍ୟକ୍ତି ଗୋଟିଏ ବାରହାକୁ ମାରି ମାଂସ ଭାଗ କରୁଥିବା ବେଳେ ବନବିଭାଗ ପକ୍ଷରୁ ଏହି ଚଢାଉ କରାଯାଇଥିଲା ।
ଫରେଷ୍ଟର ବାବାଜୀ ନାୟକଙ୍କ ନେତୃତ୍ବରେ ବନ କର୍ମଚାରୀମାନେ ଏହି ଚଢ଼ାଉ କରିଥିଲେ । ଚଢାଉବେଳେ ବାରହା ମାରିଥିବା ଲୋକେ ଫେରାର ହୋଇ ଯାଇଥିଲେ । ତେବେ ଘଟଣାସ୍ଥଳରୁ 10 କିଲୋଗ୍ରାମରୁ ଅଧିକ ମାଂସ ସହିତ ଏକ ତରାଜୁ ବଟକରା,2ଟି ଟାଙ୍ଗିଆ,2ଟି ଛୁରୀ,2ଟି କଟରା ,2ଟି ପନିକି ଓ 2ଟି ବାଇକ ଜବତ କରାଯାଇଛି । ଜବତ ମାଂସକୁ ଜିଲ୍ଲା ପଶୁ ଚିକିତ୍ସାଳୟକୁ ପରୀକ୍ଷା ପାଇଁ ପଠାଯାଇଛି । ଏହି ଘଟଣାରେ ବନ ବିଭାଗ ଏକ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ