ସୁବର୍ଣ୍ଣପୁର: ରାଜ୍ୟରେ ଚାଲିଛି ପଞ୍ଚାୟତ ଫାଇଟ୍ । ଘମାଘୋଟ ପ୍ରଚାରରେ କମ୍ପୁଛି ଗାଁ । ବିଭିନ୍ନ ରାଜନୈତିକ ଦଳୀୟ କର୍ମୀ ସାଙ୍ଗକୁ ହାଇପ୍ରୋଫାଇଲ ନେତା ଘର ଘର ବୁଲି ଭୋଟ ଭିକ୍ଷା କରୁଥିବାବେଳେ ଏବେ ଚର୍ଚ୍ଚାକୁ ଆସିଛି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ନିର୍ବାଚନୀ ପ୍ରଚାର । ମନ୍ତ୍ରୀ ବିଜେଡି ପାଇଁ ଭଜନ ଗାଇ ଭୋଟ ମାଗୁଥିବାର ଦେଖାଯାଇଛି । ସୁବର୍ଣ୍ଣପୁର ଜିଲ୍ଲାର ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚମ୍ପାମାଲ ଗାଁରେ ଭଜନ ଗାଇ ପ୍ରଚାର କରିଛନ୍ତି ପରିବହନ ମନ୍ତ୍ରୀ ।
ଚମ୍ପାମାଲ ଅଞ୍ଚଳର ଆରାଧ୍ୟ ଠାକୁର ବାବା ଚମ୍ପେଶ୍ଵରଙ୍କ ନାମରେ ଭଜନ ଗାଇଛନ୍ତି ମନ୍ତ୍ରୀ । 'ବାବା ଚମ୍ପେଶ୍ଵର ପାରେ ସୁଦୟା କର ହେ ପାର୍ବତୀ ପତି ପ୍ରଭୁ ଶିବ ଶଙ୍କର' ଭଜନ ଗାଇ ଭୋଟରଙ୍କୁ ଆକୃଷ୍ଟ କରିଛନ୍ତି । ସୂଚନା ଅନୁଯାୟୀ, ପଦ୍ମନାଭ ବେହେରା ବିରମହାରାଜପୁର ବ୍ଲକ ଜିଲ୍ଲା ପରିଷଦର ଏକ ନମ୍ବର ଜୋନ ବିଜେଡି ପ୍ରାର୍ଥୀ ରଞ୍ଜିତ କୁମାର ରଥଙ୍କ ପ୍ରଚାରର ମଙ୍ଗ ଧରିଛନ୍ତି । ମନ୍ତ୍ରୀ ବିଭିନ୍ନ ପଞ୍ଚାୟତର ଗାଁ ଗାଁ ବୁଲି ଭୋଟ ଭିକ୍ଷା କରୁଥିବା ଦେଖାଯାଇଛି ।
ଚଳିତ ନିର୍ବାଚନରେ ଏହି ଏକ ନମ୍ବର ଜୋନ ପାଇଁ ବିଜେଡି ଦଳର ପ୍ରାର୍ଥୀ ଭାବେ ରଞ୍ଜିତ କୁମାର ରଥ ନିର୍ବାଚନ ମଇଦାନରେ ଓହ୍ଲାଇ ଥିବାବେଳେ ବିଜେଡି ଦଳର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ମନ୍ତ୍ରୀ ନିଜେ ଭୋଟ ମାଗୁଛନ୍ତି । ନବୀନ ପଟ୍ଟନାୟକଙ୍କ ଜନହିତକାରୀ ଯୋଜନା ଓ ଗାଁର ବିକାଶକୁ ପାଥେୟ କରି ଭୋଟ ଭିକ୍ଷା କରୁଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ