ସୁବର୍ଣ୍ଣପୁର: ସଙ୍ଗମରେ ସନ୍ଧ୍ୟା ଆରତୀ ଅପୂର୍ବ, ଅବର୍ଣ୍ଣନୀୟ, ମନଲୋଭା । ସୁବର୍ଣ୍ଣପୁର ସହରର ରାମେଶ୍ଵରସ୍ଥିତ ଐତିହାସିକ ସଙ୍ଗମସ୍ଥଳରେ ଆୟୋଜିତ ହୋଇ ଯାଇଛି ସନ୍ଧ୍ୟା ଆରତୀ । ମହାନଦୀ, ତେଲନଦୀ ଓ କର୍ପୁର ନଦୀର ତ୍ରିବେଣୀ ସଂଗମରେ ଦେବୀ ଗଙ୍ଗାଙ୍କୁ ସ୍ମରଣ କରି ଏହି ଆରତୀ ପର୍ବ ପାଳନ କରାଯାଇଛି। ଚୀର ସ୍ରୋତସ୍ୱିନୀ ମହାନଦୀର ସ୍ଵଚ୍ଛ ଓ ନିର୍ମଳ ଅମୃତର ଧାରାକୁ ବଞ୍ଚେଇ ରଖିବା ପାଇଁ ସୁବର୍ଣ୍ଣପୁରବାସୀ ଶପଥ ନେଇଛନ୍ତି। ଏହି ଆଧ୍ୟାତ୍ମିକ ପୂଣ୍ୟ ପୀଠରେ ଆଜି ଚାମର ଆରତୀ, ଛୋଟ ଆରତୀ ସହିତ ମହାଆରତୀ ପର୍ବ ପାଳନ କରାଯାଇଛି।
କୋଭିଡ କଟକଣା ଭିତରେ ଯଦିଓ ଶ୍ରଦ୍ଧାଳୁଙ୍କ ସମାଗମକୁ ବାରଣ କରାଯାଇଥିଲା ତଥାପି ପରମ୍ପରାକୁ ରକ୍ଷା କରିବା ପାଇଁ ପୂର୍ଣ୍ଣମୀର ସନ୍ଧ୍ୟା ଆରତୀର ଆୟୋଜନ କରାଯାଇଥିଲା । ପ୍ରତିଟି ପୂର୍ଣ୍ଣମୀ ତିଥିରେ ଏହି ପାବନ ପୀଠରେ ସନ୍ଧ୍ୟା ଆରତୀର ଆୟୋଜନ କରାଯାଇଥାଏ। ହଜ଼ାର ହଜ଼ାର ଶ୍ରଦ୍ଧାଳୁ ରାମେଶ୍ୱରଙ୍କ ଦର୍ଶନ କରିବା ସହିତ ଏହି ମହା ଆରତୀ ପର୍ବରେ ସାମିଲ ହୋଇଥାନ୍ତି।
ବିଶ୍ୱାସ ରହିଛି ଏହି ସଙ୍ଗମସ୍ଥଳରେ ସ୍ନାନ କରି ରାମେଶ୍ୱରଙ୍କ ପାଖରେ ଜଳ ଲାଗି କଲେ ପାପ କ୍ଷୟ ହେବା ସହିତ ପୁଣ୍ୟ ମିଳେ। ତେବେ ପ୍ରାଚୀନ ଏହି ରାମେଶ୍ୱର ପୀଠକୁ ବର୍ଷ ସାରା ଶ୍ରଦ୍ଧାଳୁ ଆସୁଥିବା ବେଳେ କୋଭିଡ 19 କଟକଣା ଯୋଗୁଁ ଖାଁ ଖାଁ ଲାଗୁଛି ଏହି ଐତିହାସିକ ଶୈବ ପୀଠ ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ