ସୁବର୍ଣ୍ଣପୁର: ଜିଲ୍ଲା ପୋଲିସ ପାଇଁ ବାଇକ ଚୋରି ଗ୍ୟାଙ୍ଗ ମୁଣ୍ଡବ୍ୟଥାର କାରଣ ହୋଇଛି । ପ୍ରତିଦିନ ବାଇକ ଚୋରି ଘଟଣା ହେଉଥିବାବେଳେ ପୋଲିସକୁ ମଧ୍ୟ ବାଇକ ଉଦ୍ଧାର ଓ ଚୋର ଧରିବାରେ ସଫଳତା ମିଳୁଛି । ଜିଲ୍ଲାର ତରଭା ପୋଲିସ ପୁଣି 12ଟି ଚୋରି ବାଇକ ଉଦ୍ଧାର କରିଥିବା ବେଳେ ଚୋରିରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିବାରେ ସଫଳତା ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା କମସରା ଅଞ୍ଚଳର ସଦାନନ୍ଦ ରଣା ଓ ଅନିଲ ବିଭାରଙ୍କ ସହିତ ବଲାଙ୍ଗୀର ଜିଲ୍ଲାର ନିଳକଣ୍ଠ ନନ୍ଦ ଓ ଅଜୟ କୁଶଲ ମିଶି ଜିଲ୍ଲାର ବିଭିନ୍ନ ଯାଗାରୁ ବାଇକ ଚୋରି କରି ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ରି କରୁଥିଲେ ।
ଦଳଗତ ଭାବେ ଦିନ ଦ୍ବିପ୍ରହରେ ବାଇକ ଚୋରି କରିବାରେ ସଫଳ ହେଉଥିଲେ । ଏମାନେ ଖାଲି ହାତରେ ବାଇକର ତାଲା ଭାଙ୍ଗି ବାଇକ ଚୋରାଇ ନେଉଥିଲେ । ତେବେ ନିମିଷକ ଭିତରେ ବାଇକ ଚୋରି କରି ନେଉଥିବା ପୋଲିସ ତଦନ୍ତରୁ ଜାଣିପାରିଛି ।
ଅଭିଯୁକ୍ତମାନଙ୍କୁ ଗିରଫ କରି ଆଜି(ଗୁରୁବାର) କୋର୍ଟ ଚାଲାଣ କରାଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ କହିଛନ୍ତି । ବାଇକ ଚୋରି ଦଳରେ ଆଉ କିଏ ସାମିଲ ଅଛନ୍ତି ଓ ଚୋରି ଯାଇଥିବା ଅନ୍ୟ ବାଇକ ଗୁଡିକ କେଉଁଠି ବିକ୍ରି କରିଛନ୍ତି ସେ ସମ୍ପର୍କରେ ତଦନ୍ତ ଚାଲିଥିବା କହିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥୀ ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ