ସୁବର୍ଣ୍ଣପୁର: ବିରମହାରାଜପୁର ଥାନା ଲଙ୍କାବାହାଲ ଗାଁରେ ଜଣେ ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ ନେଇ ଗ୍ରାମବାସୀ ବିରମହାରାଜପୁର ଥାନାରେ ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ ଅଜାଣତରେ ଗାଁର ଜଟାଧାରୀ ଭୋଇଙ୍କ ଝିଅ ପ୍ରଭାସିନି ଭୋଇ ଓରଫ ମିନୁର ମୃତ୍ୟୁ ପରେ ପରିବାର ଲୋକେ ମିଶି ମୃତଦେହ ପୋଡି ଦେଇଥିବା ଅଭିଯୋଗ କରିଛନ୍ତି ।
ଗାଁର କୌଣସି ବ୍ୟକ୍ତିକୁ ମୃତଦେହ ନ ଦେଖାଇବା ସହିତ ଗାଁ ପାଖ ଛତୁ ଫାର୍ମ ନିକଟରେ ମୃତଦେହକୁ ପୋଡି ଦେଇଥିବା ଗାଁଲୋକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମୃତ୍ୟୁ ହୋଇଥିବା ଯୁବତୀଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ପାଇଁ ପୋଲିସ ନିକଟରେ ଦାବି କରିଛନ୍ତି । କେଉଁ କାରଣ ଯୋଗୁଁ ପରିବାର ଲୋକେ କାହାକୁ କିଛି ନ ଜଣାଇ ପ୍ରଭାସିନୀଙ୍କୁ ପୋଡି ଦେଇଥିବା ଘଟଣା ମିନୁ ପରିବାର ଉପରେ ଗାଁ ଲୋକେ ସନ୍ଦେହ କରିଛନ୍ତି ।
ଏହି ଘଟଣାଟି ଏବେ ଏହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ପରିବାରର ସମ୍ମାନ ପାଇଁ ପ୍ରଭାସିନୀଙ୍କୁ ହତ୍ୟା କରାଯାଇଥିବା ନେଇ ମଧ୍ୟ ଗାଁରେ ଚର୍ଚ୍ଚା ହେଉଛି । ଏହି ସବୁ ଘଟଣା ବିରମହାରାଜପୁର ପୋଲିସ ଜାଣିଥିଲେ ବି କୌଣସି ପଦକ୍ଷେପ ନ ନେବା ପୋଲିସର ଭୂମିକା ଉପରେ ସନ୍ଦେହ ସୃଷ୍ଟି କରୁଛି ।
ଗତ 12 ତାରିଖ ସନ୍ଧ୍ୟା ସମୟରେ ଗାଁର ଜଟାଧାରୀ ଭୋଇଙ୍କ ଝିଅର ମୃତ୍ୟୁ ହୋଇଥିଲା । ମୃତକର ପରିବାର ଲୋକେ ଗାଁ ଲୋକଙ୍କୁ ନ ଡାକିବାରୁ ପରିବାର ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା । ଗାଁ ଲୋକେ ପ୍ରଭାସିନୀ ମୃତ୍ୟୁ କାରଣ ବିଷୟରେ ପଚାରିବାରୁ ପରିବାର ଲୋକେ କିଛି ସନ୍ତୋଷ ଜନକ ଉତ୍ତର ଦେଇ ପାରି ନ ଥିଲେ । ଫଳରେ ଗାଁ ଲୋକେ ଗତକାଲି ସନ୍ଧ୍ୟାରେ ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ବିରାମହରାଜପୁର ପୋଲିସ କ୍ୟାମେରା ସମ୍ମୁଖରେ କିଛି କହିବାକୁ ମନା କରି ଘଟଣାର ତଦନ୍ତ କରାଯାଉଛି ବୋଲି କହିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ