ସୁବର୍ଣ୍ଣପୁର : ଇଚ୍ଛାମୃତ୍ୟୁ ପାଇଁ ରାଜ୍ୟପାଳଙ୍କୁ ଆବେଦନ କଲେ ସୁବର୍ଣ୍ଣପୁରର ବାଗଦୁଲି ଗାଁର ବିଶ୍ବେଶ୍ବର ପାଣିଗ୍ରାହୀ । ଆଜି (ଗୁରୁବାର) ସେ ରାଜ୍ୟପାଳ ଗଣେଶୀ ଲାଲଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଜିଲ୍ଲା ପ୍ରଶାସନ ମାଧ୍ୟମରେ ଆବେଦନ କରିଛନ୍ତି । ଏହି ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଲୋକେ ମୌଳିକ ଅଧିକାରରୁ ବଞ୍ଚିତ ହେଉଥିବାବେଳେ ମୌଳିକ ଅଧିକାରକୁ ସୁରକ୍ଷା ଦେବାରେ ପ୍ରଶାସନ ଓ ସରକାର ବିଫଳ ହୋଇଥିବା ସେ କହିଛନ୍ତି ।
ବିଶ୍ବେଶ୍ବର ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବାବେଳେ କୌଣସି ସରକାରୀ ଯୋଜନାରେ ସୁଫଳ ପାଉନ ଥିବା ଅଭିଯୋଗ କରିଛନ୍ତି । ରାସନ କାର୍ଡରୁ ବଞ୍ଚିତ ହୋଇଥିବାବେଳେ ନାମ ମାତ୍ର ଚାଷୀ ହୋଇଥିବାବେଳେ କାଳିଆ ଯୋଜନାରୁ ବି ବାଦ ପଡିଛନ୍ତି । ସେହିପରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇ ନ ଥିବା ବେଳେ ପ୍ରଧାନମନ୍ତ୍ରୀ କୃଷକ ନିଧି ଯୋଜନାରେ ବି କୌଣସି କାର୍ଯ୍ୟ ପାଇ ନାହାନ୍ତି ସେ । କୃଷକ ଡାଟାବେସ ତାଲିକାରେ ତାଙ୍କ ନାମ ନ ଥିବା ବେଳେ କୋଭିଡ ସହାୟତା ମଧ୍ୟ ପାଇ ନାହାନ୍ତି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ବି ତାଙ୍କ ଭାଗ୍ୟକୁ ଜୁଟିନି । ପୁରା ଅସହାୟ ଅବସ୍ଥାରେ ତାଙ୍କ ପରିବାର ଚଳୁଥିବା ବେଳେ ପୂଜା ପାଠ କରି ଯେ କୌଣସି ପ୍ରକାରେ ପେଟକୁ ମୁଠିଏ ଦାନ ଓ ଦେହକୁ ଖଣ୍ଡିଏ କନା ଯୋଗାଡ କରିବା ତାଙ୍କ ପାଇଁ ଏବେ କଷ୍ଟକର ବ୍ୟାପାର । ତେବେ ସେ ଇଛାମୃତ୍ୟୁ ପାଇଁ ଆଗ୍ରହ ପ୍ରକାଶ କରିଥିବାବେଳେ ତାଙ୍କ ଆବେଦନ ଗ୍ରହଣ କରାଗଲେ । ସେ ରାଜ୍ୟପାଳଙ୍କ ପାଖରେ କୃତଜ୍ଞ ରହିବେ ବୋଲି କହିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ