ସୁବର୍ଣ୍ଣପୁର: ଆଉ ଦିନକ ପରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଚାଷୀ ବର୍ଷର ପହିଲି ଶସ୍ୟକୁ ନିଜ ଇଷ୍ଟ ଦେବାଦେବୀଙ୍କ ପାଖରେ ସମର୍ପଣ କରି ସପରିବାର ନବାନ୍ନ ଗ୍ରହଣ କରିବେ । ଏଥିପାଇଁ ଲୋକେ ସବୁକିଛି ନୂଆଁ ଜିନିଷ ବଜାରରୁ ସଂଗ୍ରହ କରିଥାନ୍ତି । ଏହି ପର୍ବ ପାଳନ କରିବାକୁ ବସେ ନୂଆଁଖାଇ ବଜାର ।
କୋରୋନା କଟକଣାକୁ ଆଖି ଆଗରେ ରଖି ନୂଆଁଖାଇ ବଜାର ବସାଇବାକୁ ପୌର ପରିଷଦ କିମ୍ବା ଜିଲ୍ଲା ପ୍ରଶାସନ ଏଯାଏଁ ଘୋଷଣା କରିନାହିଁ । ନୂଆଁଖାଇ ପୂର୍ବ ଦିନ ଏହି ବଜାର ବସେ । ଲୋକେ ନୂଆଁ ଧାନ ସାଙ୍ଗକୁ ନୂଆଁ ବସ୍ତ୍ର, ନୂଆଁ ମାଟି ପାତ୍ର, ନୂଆଁ ବାଉଁଶ ତିଆରି ସାମଗ୍ରୀ, ପନିପରିବା ଠାରୁ ଆରମ୍ଭ କରି ଝାଡୁ ପର୍ଯ୍ୟନ୍ତ ଦୈନନ୍ଦିନ ବ୍ୟବହାରିକ ସାମଗ୍ରୀ ସଂଗ୍ରହ କରିଥାନ୍ତି । ବର୍ଷକ ଯାକର ଏହି ତିହାର ପାଇଁ ସବୁକିଛି ନୂଆଁ ଭାବେ କିଣି ଗୃହିଣୀମାନେ ବ୍ୟବହାର କରିଥାନ୍ତି ।ସେହିପରି ଦେବାଳୟଗୁଡିକରେ ବି ସବୁକିଛି ନୂଆଁ ଜିନିଷ ବ୍ୟବହାର କରାଯାଏ ।
ନୂଆଁ ଚାଉଳରୁ ଅନ୍ନ, ବ୍ୟଞ୍ଜନ ସହିତ ପିଠାପଣା ଆଦି ତିଆରି କରି ଦେବାଦେବୀଙ୍କ ପାଖରେ ସମର୍ପଣ କରିବା ପୂର୍ବକ ସପରିବାର ନବାନ୍ନ ଗ୍ରହଣ କରିଥାନ୍ତି ।ତେଣୁ ନୂଆଁ ନୂଆଁରେ ନୂଆଁଖାଇ ବୋଲି କୁହାଯାଏ । ନୂଆଁ ଜିନିଷ ସଂଗ୍ରହ କରିବା ପାଇଁ ନୂଆଁଖାଇ ପୂର୍ବଦିନ ସହରରେ ନୂଆଁଖାଇ ବଜାର ବସେ । ତେବେେ ଏଯାଏଁ ସରକାରୀ ଭାବେ ଘୋଷଣା କରାଯାଇ ନ ଥିବାରୁ ଲୋକେ ପ୍ରତିିଦିନ ଦୈନିକ ବଜାରରୁ ସବୁକିଛି ସଂଗ୍ରହ କରୁଛନ୍ତି । ତେବେ ନୂଆଁଖାଇ ବଜାର ବସିଲେ ଲୋକେ ସାଧାରଣତଃ କିଛି ଶସ୍ତାରେ ପାଇବାକୁ ଆଶା ରଖିଥିବାବେଳେ ଏବେ କିନ୍ତୁ ଦୈନିକ ବଜାରରେ ଢେର ଅଧିକ ଦାମ ଦେଇ କିଣୁଛନ୍ତି । ଏହି ମହଙ୍ଗା ବେଳାରେ ନୂଆଁଖାଇ ବଜାର ବସାଇବାକୁ ଘୋଷଣା କରିବାକୁ ଦାବି ହେଉଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ