ସୁବର୍ଣ୍ଣପୁର: ଜିଲ୍ଲାରେ ଅବକାରୀ ବିଭାଗର ଚଢାଉ । ଗଞ୍ଜେଇ ଚୋରାଚାଲଣ ଖବର ପାଇଁ ଅବକାରୀ ବିଭାଗ ଚଢାଉ କରିଛି । ବୌଦ୍ଧ-ସୁବର୍ଣ୍ଣପୁର ସହରକୁ ଏକ ଅଲ୍ଟୋ ଗାଡିରେ ଗଞ୍ଜେଇ ଆସୁଥିବା ନେଇ ଖବର ପାଇଥିଲା ବିଭାଗ ।
ଅବକାରୀ ବିଭାଗର ଇନ୍ସପେକ୍ଟର ପ୍ରଶାନ୍ତ କଅଁରଙ୍କ ନେତୃତ୍ବରେ ଏକ ଟିମ ସୁବର୍ଣ୍ଣପୁରର କୁଞ୍ଜ ହୋଟଲ ନିକଟରେ ଚଢାଉ କରିଥିଲେ । ଚଢାଉ ବେଳେ ଗଞ୍ଜେଇ ବୋଝେଇ ଗାଡି ଜବତ କରିବା ସହ 2 ଜଣକୁ ଗିରଫ କରାଯାଇଛି । ଦୁଇ ଗଞ୍ଜେଇ ବେପାରୀ କନ୍ଧମାଳ ଜିଲ୍ଲାର ଦୂର ଅମାତ ଓ ପ୍ରକାଶ କଅଁର ।
ଏମାନଙ୍କ ପାଖରୁ 18 କେଜିରୁ ଅଧିକ ପରିମାଣର ଗଞ୍ଜେଇ ଜବତ କରାଯାଇଛି । ଆଜି ସନ୍ଧ୍ୟାରେ ଦୁଇ ବେପାରୀଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି । ଏହି ଗଞ୍ଜେଇ ବୌଦ୍ଧ ଜିଲ୍ଲା ଶଗଡା ଅଞ୍ଚଳରୁ ସୁବର୍ଣ୍ଣପୁର ଦେଇ ବଲାଙ୍ଗୀରକୁ ଚାଲାଣ କରାଯାଉଥିଲା ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ