ସୁବର୍ଣ୍ଣପୁର: ସହରର ଦକ୍ଷିଣ ଭାରତୀୟ ଗୌରମ୍ମା ସାମ୍ରାଲୁ ବା ହରଗୌରୀ ଯାତ୍ରା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତାକାଲି ହରଗୌରୀଙ୍କ ନଗର ଶୋଭାଯାତ୍ରା ପରେ ମହାନଦୀରେ ତେନ୍ତୁଳିଘାଟରେ ବିସର୍ଜନ କରାଯିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ଅନ୍ତିମ ଦିନରେ ବୁଢୀମା ଠାକୁରାଣୀ ଓ ହରଗୌରୀଙ୍କ ସ୍ବତନ୍ତ୍ର ପୂଜା ଆରାଧନା କରାଯାଇଥିଲା । ଏରଭାଦୃଡୁସ୍ବାମୀ ବା ଦେବ ଦେବ ମହାଦେବଙ୍କୁ ତେଲୁଗୁ ସ୍ତ୍ରୋତ ବୋଲି ଦୁଷ୍ଟ ଶକ୍ତି ଗୁଡିକୁ ବିନାଶ କରିବା ପାଇଁ ପ୍ରାର୍ଥନା କରାଯାଇଥିଲା । ହାସ୍ବରୱା ବା ଇଶ୍ବରଙ୍କ ମହିମାକୁ ତେଲୁଗୁ ଭାଷାରେ ବର୍ଣ୍ଣନା କରାଯିବା ସହିତ ଏହି ଯାତ୍ରାର କର୍ତ୍ତା ହରଗୌରୀଙ୍କ ପାଖରେ ବିଶ୍ବଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ । ତେବେ ଦକ୍ଷିଣ ଭାରତୀୟ ଏହି ଯାତ୍ରାରେ ସ୍ଥାନୀୟ ଶୈବ ଓ ଦକ୍ଷିଣ ଭାରତୀୟ ଶକ୍ତି ଆରାଧନାର ସମ୍ମିଶ୍ରଣ ଦେଖିବାକୁ ମିଳିଥାଏ ।
ବୁଢୀମାଙ୍କ ଷୋଡଶ ଉପଚାର ପୂଜା କରାଯାଉଥିବାବେଳେ ସ୍ଥାନୀୟ ସୁବର୍ଣ୍ଣମେରୁ ମହାଦେବଙ୍କ ନିଜସ୍ବ ଜମିରୁ ଧାନଗଛକୁ ଗୌରୀ ଆକାରରେ ଆବାହନ କରିବା ସହିତ ସହରର ପ୍ରତିଷ୍ଠିତ ଏକ ମୂର୍ତ୍ତିକାରଙ୍କ ବାସଭବନରୁ ମହାଦେବଙ୍କୁ ନିମନ୍ତ୍ରଣ କରାଯାଇଥାଏ । ତେବେ ଏଥର କୋଭିଡ କଟକଣା ଭିତରେ ଏହି ଯାତ୍ରା ପାଳନ କରାଯାଇଥିବାବେଳେ ନଗର ଭ୍ରମଣ ଶୋଭାଯାତ୍ରା ବି ବେଶ ନିରାଡମ୍ବର ଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ