ସୁବର୍ଣ୍ଣପୁର: ବିଭିନ୍ନ ଦାବୀ ନେଇ ଧାରଣାକୁ ଓହ୍ଲାଇଲେ ଅଧ୍ୟାପକ । ଉଲୁଣ୍ଡା ବ୍ଲକ ସିଣ୍ଢୋଲ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ତଥା କର୍ମଚାରୀ କଲେଜ ସମ୍ମୁଖରେ ଧାରଣାରେ ବସିଛନ୍ତି । ମହାବିଦ୍ୟାଳୟର ପରିଚାଳନା କମିଟି ଦ୍ବାରା ୨୦୦୮ ମସିହାରେ ଚୁକ୍ତି ଭିତ୍ତିକ ନିଯୁକ୍ତି ପାଇଥିବା ଅଧ୍ୟାପକଙ୍କୁ ଆଜି ପର୍ଯ୍ୟନ୍ତ ଓଡିଶାର ଗ୍ରାଣ୍ଟ ଇନ ଏଡ୍ ନିୟମରେ ପରିସର ଭୁକ୍ତ କରାଯାଇନାହିଁ ।
ତେଣୁ ଅଧ୍ଯାପକ କର୍ମଚାରୀ ମାନେ ସମସ୍ତ ଅନୁଦାନ ଦାବୀରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରି ମହାବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଦୀର୍ଘ ୯୯ ଦିନ ଧରି ଭୁବନେଶ୍ୱର ସ୍ଥିତ ଗାନ୍ଧୀ ମାର୍ଗରେ ମଧ୍ୟ ଧାରଣା ଦେଇଥିଲେ ଚୁକ୍ତି ଭିତ୍ତିକ ଅଧ୍ୟାପକ ।
ଆଗାମୀ ଦିନରେ ସରକାର ଯଦି ଅନୁଦାନ ପ୍ରଦାନ ଦିଗରେ ସକରାତ୍ମକ ପଦକ୍ଷେପ ନ ନିଅନ୍ତି ତେବେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଅଧ୍ଯାପକ କର୍ମଚାରୀ ମାନେ ପ୍ରକାଶ କରିଛନ୍ତି । ଏହି ଧାରଣାରେ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ଯାଳୟର ଅଧ୍ଯକ୍ଷ ଶିରିଶ ଦାସ, ଡିଗ୍ରୀ ମହାବିଦ୍ୟାଳୟର ଅଧ୍ଯକ୍ଷ ପବିତ୍ର ବାରିକ ସମେତ ସମସ୍ତ ଅଧ୍ଯାପକ ଏବଂ କର୍ମଚାରୀ ଧାରଣାରେ ସାମିଲ ହୋଇଛନ୍ତି ।
ଇଟିଭି ଭାରତ, ସୁବର୍ଣ୍ଣପୁର