ସୁବର୍ଣ୍ଣପୁର: ତରଭା ସହରରେ ସଟଡାଉନ ବଳବତ୍ତର । ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରରେ ସଟଡାଉନ ସଫଳ ହୋଇଛି। ଆଗାମୀ 30 ତାରିଖ ଯାଏଁ ଏହି ସଟଡାଉନ କରାଯିବ ବୋଲି ନାଗରିକ ସଙ୍ଘ ସୂଚନା ଦେଇଛି। ସକାଳୁ ସକାଳୁ ସ୍ବେଚ୍ଛାସେବୀମାନେ ସହରକୁ ବନ୍ଦ ପାଳନ ପାଇଁ ପିକେଟିଂ କରୁଛନ୍ତି।
ସହରରେ ମୋଟର ସାଇକେଲ ଶୋଭାଯାତ୍ରା କରି ସ୍ବେଚ୍ଛାସେବୀମାନେ ଲୋକମାନଙ୍କୁ ସଟଡାଉନକୁ ସଫଳ କରିବା ପାଇଁ ଅନୁରୋଧ କରିଛନ୍ତି। ସହରରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ବଢି ଯାଉଥିବାରୁ ସଟଡାଉନ ନିଷ୍ପତ୍ତି ନିଆଯାଇଛି ।
ସହରର ସଚେତନ ନାଗରିକ ସଂଘ ପକ୍ଷରୁ ସଟଡାଉନ ଡାକରା ଦିଆଯାଇଥିବା ବେଳେ ଏହାକୁ ଘରୋଇ ଟ୍ୟାକ୍ସି ମାଲିକ ସଙ୍ଘ, ବଣିକ ସଙ୍ଘ ଓ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ସମର୍ଥନ କରୁଛନ୍ତି । ଏବେ ଜୀବନ ଯାତ୍ରା ସ୍ୱାଭାବିକ ହୋଇଥିବାରୁ ବିଭିନ୍ନ ଯାଗାରେ ଲୋକ ଗହଳି ହେଉଛି। ପୋଲିସ ପ୍ରଶାସନର ବାରଣ ସତ୍ତ୍ୱେ ଲୋକେ କୋଭିଡ ନିୟମ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳୁଛି।
ଫଳରେ କୋରୋନା ସଂକ୍ରମଣ ରୋକିବା ପାଇଁ ସ୍ବେଚ୍ଛାସେବୀମାନେ ଆଗେଇ ଆସିଛନ୍ତି। ତରଭା ସହରରେ ଦୋକାନ ବଜ଼ାର ,ବ୍ୟବସାୟିକ ପ୍ରତିଷ୍ଠାନ , ବେସରକାରୀ କାର୍ଯ୍ୟାଳୟ ଆଦି ବନ୍ଦ ରହିଛି। କିଛି ସରକାରୀ କାର୍ଯ୍ୟାଳୟ ଖୋଲିଥିବା ବେଳେ ଲୋକେ କିନ୍ତୁ କାର୍ଯ୍ୟାଳୟକୁ ଯାଉନାହାଁନ୍ତି । ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଛକ ଗୁଡ଼ିକରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଉଛି। ପୋଲିସ ପକ୍ଷରୁ ହାତ ଧୋଇବା, ମାସ୍କ ପରିଧାନ କରିବା ତଥା ଗହଳି ନକରି ସାମାଜିକ ଦୂରତ୍ୱ ରକ୍ଷା କରିବା ଦିଗରେ ଲୋକଙ୍କ ଭିତରେ ସଚେତନତା କରାଯାଉଛି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ