ସୁବର୍ଣ୍ଣପୁର : ସହରର ଭୂମିହୀନ ପରିବାର ଥଇଥାନ ପାଇଁ ପ୍ରଶାସନ ନିକଟରେ ଦାବି । ସୁବର୍ଣ୍ଣପୁର ସହରର ବିଜୁପଟ୍ଟନାୟକ ପୋଲ ନିକଟରେ ରହୁଥିବା 15ରୁ ଅଧିକ ପରିବାର ଥଇଥାନ କରିବା ପାଇଁ ଜିଲ୍ଲା ପ୍ରଶାସନ ପାଖରେ ଦାବି କରିଛନ୍ତି । ମହାନଦୀରୁ ତେଲନଦୀ ଯାଏଁ ଚାରି ଲେନ ବିଶିଷ୍ଟ ରାସ୍ତା ତିଆରି ହେଉଥିବାରୁ ଏହି ପରିବାର ବାସଚ୍ୟୁତ ହେବେ ।
ମହାନଦୀ ପୋଲ ନିକଟରେ ରାଜୁଡା ଅମଳରୁ ଥିବା ରାଜ କୋଠାରେ ପ୍ରାୟ 15ରୁ ଅଧିକ ପରିବାର ଜବରଦଖଲ କରି ରହୁଛନ୍ତି । ଦୀର୍ଘ ଦିନରୁ ଏହି ପରିତ୍ୟକ୍ତ କୋଠାରେ କିଛି ପରିବାର ରହୁଥିବା ବେଳେ କିଛି ପରିବାର କୋଠାର ଚାରି ପାଖରେ କୁଡ଼ିଆ ଘର କରି ରହି ଆସୁଛନ୍ତି । କୋଠାଟି ଜଙ୍ଗଲ କିସମର ଜମି ହୋଇଥିବାରୁ ଏହି ଗରିବ ପରିବାର ମାନେ ସହରାଞ୍ଚଳ ଜାଗା ମିଶନରୁ ବଞ୍ଚିତ ହୋଇଛନ୍ତି ।
ବର୍ତ୍ତମାନ ଚାରି ଲେନ ବିଶିଷ୍ଟ ରାସ୍ତା ତିଆରି ଚାଲୁଥିବାରୁ ପାଇଁ ଏମାନଙ୍କୁ ସରକାରୀ ଜମିରୁ ଉଚ୍ଛେଦ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଏହି ପରିବାର ମାନେ ଥଇଥାନ ପାଇଁ ଦାବି କରୁଛନ୍ତି । ତେବେ ଏନେଇ ସଦର ତହସିଲଦାର ସହିତ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ନୀତିରଞ୍ଜନ ସେନ କହିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ