ସୁବର୍ଣ୍ଣପୁର: ଜିଲ୍ଲା ସଦର ରେଞ୍ଜ ଲଛିପୁର ସେକସନରେ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ବଳଦେବ ବଗର୍ତ୍ତି ପରିବାରକୁ ଆର୍ଥିକ ସହାୟତା ପ୍ରଦାନ । ବନ ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ 40 ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି ।
ସୁବର୍ଣ୍ଣପୁର ଲଛିପୁର ଅଞ୍ଚଳରେ ହାତୀ ଉତ୍ପାତ ବଢିବାରେ ଲାଗିଛି । ମାଟିଆପାଲି ଗାଁ ଜଙ୍ଗଲରେ ହାତୀ ସେହି ଗାଁର 55 ବର୍ଷୀୟ ବଳଦେବ ବଗର୍ତ୍ତିଙ୍କୁ ଦଳି ଦେଇଥିଲା । ବଳଦେବ ଗାଁ ଜଙ୍ଗଲକୁ କେନ୍ଦୁ ପତ୍ର ତୋଳିବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡି ଯାଇଥିଲେ । ହାତୀ ଦଳି ଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଜିଲ୍ଲା ବନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ 40ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ଏହା ପରେ ବାକି ସହାୟତା ପ୍ରଦାନ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଲଛିପୁରର ବାରପାହାଡ଼ ଜଙ୍ଗଲରେ ବର୍ଷ ତମାମ ହାତୀପଲ ରହି ଏହି ଅଞ୍ଚଳରେ ବ୍ୟାପକ ଧନ ଜୀବନ କ୍ଷତି କରୁଛନ୍ତି । କିଛି ଦିନ ତଳେ ଏହି ଅଞ୍ଚଳର ବାଙ୍କତେନ୍ତୁଲି ଗାଁରେ ଜଣକୁ ହାତୀ ଦଳିଦେଇ ମାରି ଦେଇଥିଲା । ସ୍ଥାନୀୟ ଅଞ୍ଚଳରରେ ଲୋକେ ହାତୀଙ୍କ ପାଇଁ ଭୟ ଓ ଆତଙ୍କ ଭିତରେ ଜୀବନ ଅତିବାହିତ କରୁଛନ୍ତି । ଜନବସତିମୁହାଁ ହାତୀଙ୍କୁ ବାରଣ କରିବା ପାଇଁ ବନ ବିଭାଗ ପକ୍ଷରୁ ବାରପାହାଡ ଅଞ୍ଚଳରେ ଟ୍ରେଂଜ ଖୋଲିବା ପାଇଁ ଦାବି ହୋଇଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ