ସୁବର୍ଣ୍ଣପୁର: ମହାମାରୀ କୋରୋନା ତାର କାୟା ବିସ୍ତାର କରି ଚାଲିଛି । ମହାମାରୀର ଶିକାର ହୋଇ ହଜ଼ାର ହଜ଼ାର ଲୋକେ ତାଙ୍କ ଜୀବିକା ହରାଇଛନ୍ତି । ମହାମାରୀ ପାଇଁ ଅନେକ କାରିଗରମାନଙ୍କ ବୃତ୍ତିରେ ଭଟ୍ଟା ପଡିଛି । ବେରୋଜଗାର ହୋଇ କାରିଗରମାନେ ଘରେ ବସି ରହିଥିବା ବେଳେ ସରକାରୀ ସହାୟତା ବି ତାଙ୍କ ପାଖରେ ପହଞ୍ଚିନାହିଁ । ସୁବର୍ଣ୍ଣପୁର ଜିଲ୍ଲାରେ ମାଟି କାରିଗରମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି କୋରୋନା ।
ଗତ 2020 ମାର୍ଚ୍ଚ ମାସରୁ ଆଜି ପର୍ଯ୍ୟନ୍ତ ଅଧିକାଂଶ ସମୟରେ ଜିଲ୍ଲାରେ ଲକଡାଉନ ,ସଟଡାଉନ ,ରାତ୍ରିକାଳୀନ କର୍ଫ୍ୟୁ ଆଦି ଜାରି ରହିଥିବା ବେଳେ ଜିଲ୍ଲାର ସାପ୍ତାହିକ ବଜ଼ାର ଗୁଡିକୁ ବନ୍ଦ କରି ଦିଆଯାଇଛି । ଫଳରେ ମାଟି କାରିଗରମାନେ ତିଆରି କରୁଥିବା ମାଟି ପାତ୍ର ସବୁ ବିକ୍ରି କରି ପାରୁନାହାନ୍ତି । ହାତ ତିଆରି ଗଦା ଗଦା ମାଟି ଜିନିଷ ଖତ ଖାଇବାକୁ ଲାଗିଲାଣି । ଜିଲ୍ଲା ସଦର ମହକୁମାରେ ପ୍ରାୟ 100ରୁ ଅଧିକ କୁମ୍ଭାର ପରିବାର ମାଟି ପାତ୍ର ତିଆରି କରି ନିଜ ଗୁଜୁରାଣ ମେଣ୍ଟାଇଥାନ୍ତି । କାରିଗରମାନେ ଯେ ଖାଲି ମାଟି ପାତ୍ର ତିଆରି କରନ୍ତି ତାହା ନୁହେଁ ମାଟିରେ ବିଭିନ୍ନ ପ୍ରକାରର ଘରକରଣା ଓ ସୌଖିନ ଦ୍ରବ୍ୟ ତିଆରି କରି ବଜ଼ାରରେ ବିକ୍ରି କରିଥାନ୍ତି । ହାତ ତିଆରି ଟେରାକୋଟା ଦ୍ରବ୍ୟ ବି ରାଜ୍ୟର ବିଭିନ୍ନ ଜିଲ୍ଲା ସହିତ ରାଜ୍ୟ ବାହାରକୁ ରପ୍ତାନୀ କରିଥାନ୍ତି । ସ୍ଥାନୀୟ ଭାଷାରେ ହାଣ୍ଡି ,ଟଡେଇ ,ପାତଲି ,ଫୁଲ ଗାମଲା , ମଠିଆ , କଳସୀ ସହିତ ବିଭିନ୍ନ ସାମାଜିକ କାର୍ଯ୍ୟରେ ବ୍ୟବହାର ହେଉଥିବା ପାତ୍ର ସବୁ ତିଆରି କରିଥାନ୍ତି । ହେଲେ ଏବେ ମହାମାରୀ ପାଇଁ ଆଉ କୁମ୍ଭାରଶାଳରେ ଘୁରୁ ନାହିଁ କୁମ୍ଭାର ଚକ । ବ୍ୟବସାୟର ସବୁ ବାଟ ଏବେ ତାଙ୍କ ପାଇଁ ବନ୍ଦ ହୋଇଛି । ଭଲ ବ୍ୟବସାୟ ହେଉନଥିବାରୁ ଅନେକ ଏହି କୁଳ ବେଉସାରୁ ମୁହଁ ଫେରାଇବାକୁ ଲାଗିଲେଣି । ରୋଜଗାର ନଥିବାରୁ ପରିବାର କିପରି ଚଳିବ ସେ ଚିନ୍ତାରେ ରହିଛି କାରିଗର ପରିବାର ।
କାରିଗରଙ୍କ ଏହି ସମସ୍ୟାର ସମାଧାନର ଅବଶ୍ୟାକତା ରହିଛି । ଏହି କାରିଗରୀକୁ ବଞ୍ଚେଇ ରଖିବାକୁ ହେଲେ ଆର୍ଥିକ ସହଯୋଗ କରି ଅନ୍ତତଃ ଏମାନଙ୍କ ଦକ୍ଷତା ବୃଦ୍ଧି କରାଗଲେ ଏହି ବିପତ୍ତି ପରେ ପୁଣି ସୌଖିନ ଓ ଘରକରଣା ମାଟି ଦ୍ରବ୍ୟ ତିଆରି କରି ରୋଜଗାରକ୍ଷମ ହୋଇ ପାରନ୍ତେ ମାଟି କରିଗର ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ