ସୁବର୍ଣ୍ଣପୁର : ଜିଲ୍ଲାରେ ରହିଥିବା ପୋଖରୀ ଗୁଡିକର ଉନ୍ନତିକରଣ କରାଯାଉନି । ରାଜା ରାଜୁଡା ଅମଳରୁ 56 ହଜାର ବସ୍ତିବାସିନ୍ଦାଙ୍କ ପାଇଁ ରହିଛି 57 ଗୋଟି ପୋଖରୀ । ସହରର ବିଭିନ୍ନ ଦେବଦେବୀଙ୍କ ମନ୍ଦିର ଗୁଡିକରେ ଜଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଚୌହାନ ଶାସକମାନେ ଅନେକ ପୁଷ୍କରିଣୀ ତିଆରି କରିଥିଲେ ।
ସେହିପରି ରାଜସ୍ବ ବିଭାଗ ଅଧିନରେ ଥିବା ପୋଖରୀ ଗୁଡିକ ଜନସାଧାରଣଙ୍କ ଦୈନନ୍ଦିନ ଆବଶ୍ୟକତାକୁ ଦୃଷ୍ଟିରେ ରଖି କରାଯାଇଥିଲା । ଏବେ ପ୍ରାୟ 12 ଗୋଟି ପୋଖରୀ ମତ୍ସ୍ୟ ବିଭାଗର ଅଧିନରେ ରହିଛି । ତେବେ ମତ୍ସ୍ୟ ବିଭାଗର ପୋଖରୀଗୁଡିକୁ ବାଦ ଦେଲେ ବାକି ରହିଥିବା ପୋଖରୀ ଗୁଡିକର ଉନ୍ନତିକରଣ ଓ ସୁରକ୍ଷା ଦାୟିତ୍ବ ସଦର ପୌର ପରିଷଦ ହାତରେ ରହିଛି ।
ହେଲେ ପୋଖରୀ ଗୁଡିକର ହିଡ କାର୍ଯ୍ୟ ଓ ମାଟି ଖନନ କାର୍ଯ୍ୟ କରାଯାଉ ନ ଥିବାରୁ ପୋଖରୀ ଗୁଡିକ ଧିରେ ଧିରେ ପଡିଆରେ ପରିଣତ ହେବାକୁ ଯାଉଛି । ସହରବାସୀ ପ୍ରାୟ ବର୍ଷା ଚାରିମାସ ମହାନଦୀ ପାଣି ବ୍ୟବହାର ନ କରି ପୋଖରୀ ଗୁଡିକର ପାଣି ବ୍ୟବହାର କରୁଥିଲେ । ସହରର ପଶୁପକ୍ଷୀମାନେ ବି ଏହିସବୁ ପୋଖରୀ ଉପରେ ନିର୍ଭର କରୁଥିଲେ । ତେବେ ଦିନକୁ ଦିନ ପୋଖରୀ ଗୁଡିକ ପୋତି ହୋଇ ଯାଉଥିବାବେଳେ ଏବେ ପୋଖରୀ ଗୁଡିକ ଅଳିଆ ଆବର୍ଜନା ପକାଇବାର ସ୍ଥାନ ପାଲଟିଛି । ପୋଖରୀ ଗୁଡିକର ଉନ୍ନତିକରଣରେ ପୌର ପରିଷଦ ଧ୍ୟାନ ଦେଉ ନ ଥିବା ଅଭିଯୋଗ ହେଉଛି ।
ପୋଖରୀ ଗୁଡିକର ମାଟି କାମ ସହିତ ଏହାର ସୌନ୍ଦର୍ଯ୍ୟକରଣ ଦିଗରେ ଧ୍ୟାନ ଦେଲେ ପୋଖରୀଗୁଡିକ ବ୍ୟବହାର ହେବା ସହିତ ପର୍ଯ୍ୟଟକ ଓ ଦେବାଳୟଗୁଡିକୁ ଆସୁଥିବା ଶ୍ରଦ୍ଧାଳୁମାନେ ସୁବିଧାରେ ଜଳ ବ୍ୟବହାର କରିପାରିବେ । ତେବେ ତୁରନ୍ତ ପୋଖରୀ ଗୁଡିକର ସୁରକ୍ଷା ଓ ଉନ୍ନତି କରଣ ଦିଗରେ ପୌର ପରିଷଦ ଧ୍ୟାନ ଦେବାକୁ ଦାବି ହୋଇଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ