ସୁବର୍ଣପୁର: ବଏଲାରେ..........ରାମ ଯେ ଲଇଖନ ବନକୁ ଗଲେ । ଅବା ଏ...ହେ.....ବନ୍ଦଇ ଶାରଲା ହଲିଆ ଗୀତେ । ଏଭଳି ପ୍ରାଚୀନ ସ୍ବର ଆଉ ଶୁଣିବାକୁ ମିଳୁନାହିଁ ଚାଷ ଜମିରେ । ଆଧୁନିକତାର କୋଳାହଳରେ ନିଶବ୍ଦ ହୋଇଯାଇଛି ଏହି ହଳିଆ ଗୀତ । ଯୁଗ ବଦଳିବା ସାଙ୍ଗକୁ ବଦଳି ଯାଇଛି ଚାଷର ତରିକା । ଆଉ ତାହାରି ଭିତରେ ଧିରେ ଧିରେ ମଳିନ ପଡିଛି ହଳିଆ ଗୀତ ।
ସାରା ସମାଜକୁ ଖାଦ୍ୟ ଯୋଗେଇ ଦେଉଥିବା ଚାଷୀ କେବେ କେମିତି ନିଜର ଦୁଃଖ କଷ୍ଟକୁ ଛାତି ଭିତରେ ଚାପି ରଖି ଅତି ଆନନ୍ଦର ସହିତ ହଳିଆ ଗୀତ ଗାଇବା ସହିତ ହୁଳହୁଳି ପକାଇ ଥାଏ । ବାଟରେ ଯାଉଥିବା ବାଟୋଇ ବି ହଳିଆ ଗୀତର ମଧୂର ମୁର୍ଚ୍ଛନାରେ ବିମୋହିତ ହୋଇ ଘଡିଏ ଅଟକି ଗୀତ ଗାଉଥିବା ଲୋକଟିକୁ ଚାହିଁ ରହେ । ପାହାନ୍ତିଆରୁ ନିଜ ସଂସାରକୁ ପଛେଇ ଦେଇ ହଳ ହଳିଆ , ମୂଲିଆ ସହିତ ଚାଷୀ, ଚାଷଜମିକୁ ଆସି ସୁନାର ଫସଲ ଉଗେଇବାକୁ ନିଜ ପ୍ରୟାସ କରିଥାଏ । କାମ କରି କରି ମୂଲିଆ ତଥା ହଳର କ୍ଲାନ୍ତି , ଶାରିରୀକ ପୀଡାକୁ ଭୁଲେଇବାକୁ ଓ ଭୁଲିବାକୁ ହଳିଆ ଗୀତର ଆଶ୍ରୟ ନିଏ।
ହଳିଆ ଗୀତରେ ଖାଲି ଯେ ଚାଷୀ କ୍ଲାନ୍ତି ଦୂର କରେ ତାହା ନୁହେଁ, ପଞ୍ଜିକା ଅନୁଯାୟୀ ପାଣିପାଗ, ମାଟି ମା’ର ଆରାଧନା, କୃଷି ପ୍ରଣାଳୀ ସହିତ ଗୀତେ ଗୀତେ ନିଜ ସାଂସାରିକ ପୀଡାର ଅନେକ କଥା କୁହେ ଚାଷୀ। ତେବେ ହଳିଆ ଗୀତ ଧୀରେଧୀରେ ମଳିନ ପଡି ଯାଉଥିବାବେଳେ ସୁବର୍ଣ୍ଣପୁରର ଚାଷୀ ପ୍ରତାପ ଦେହୂରୀଙ୍କ ପାଟିରେ ହଳିଆ ଗୀତର ସ୍ବରକୁ ଯେ ଶୁଣେ, ସେ ଆହ୍ଲାଦିତ ନ ହୋଇ ରହି ପାରେନାହିଁ । ଦିନକୁ ଦିନ ଏଭଳି ପାରମ୍ପରିକ ଲୋକଗୀତ ସବୁ ମଞ୍ଚ ଓ ରେକଡିଂ ଷ୍ଟୁଡିଓ ଭିତରକୁ ଚାଲି ଯାଉଥିବା ବେଳେ ଅଲିଖିତ ତଥା ଜନଶୃତିରେ ରହିଥିବା ଏହି ଗୀତର ସଂକଳନ ଆବଶ୍ୟକ ହୋଇ ପଡିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ