ସୁବର୍ଣ୍ଣପୁର: ସ୍ବାର୍ଥପର ଦୁନିଆରେ ସମସ୍ତେ ଆପଣା ସ୍ବାର୍ଥ ସାଦନ ପାଇଁ ଅଣନିଶ୍ବାସୀ ହୋଇ ଦୌଡୁଛନ୍ତି । ମଣିଷ ପଣିଆ ମରିଯାଇଛି । ଭାଗ୍ୟ, ଭଗବାନକୁ ଆଦରି କେହି କେହି ଶେଷ ନିଶ୍ବାସ ତ୍ୟାଗ କରିଥାନ୍ତି । ସୁବର୍ଣ୍ଣପୁର ସହରର ଏହି ଦୃଶ୍ୟ ମାନବିକତା ହଜିଯାଇଥିବାର ଜ୍ବଳନ୍ତ ଉଦାହରଣକୁ ଦର୍ଶାଉଛି । ବ୍ଲକ ଛକ - ଆମ୍ବେଦକର ଛକ ଜାତୀୟ ରାଜପଥ ମଝିରେ ଜଣେ ମାନସିକ ଅସୁସ୍ଥ ଯୁବକ ପଡିରହିଛି । ହଜାର ହଜାର ଗାଡି ମଟର, ଶହ ଶହ ଲୋକେ ଯାତାୟତ କରୁଛନ୍ତି ହେଲେ କାହାର ନିଘା ନାହିଁ । ଅସହାୟକୁ ଅସହାୟତା ଅବସ୍ଥାରେ ଛାଡି ଦେଇ ଦେଖି ନଦେଖିଲା ପରି ଚାଲି ଯାଉଛନ୍ତି ।
ସୂଚନା ଅନୁସାରେ ଏହି ଯୁବକ ଜଣକ ସନ୍ଧ୍ୟା ସମୟରୁ ପ୍ରାୟ 4 ଘଣ୍ଟାରୁ ଅଧିକ ସମୟ ରାସ୍ତାରେ ପଡି ରହିଥିଲା । ଉଠିବାକୁ ବଳ ନଥିଲା ଶରୀରରେ । ଏପଟେ ଡାହାଣ ପାଦରେ ଥିଲା ବଡ ଧରଣର କ୍ଷତ । ସମ୍ପୂର୍ଣ୍ଣ ଅସହାୟ ଭାବେ ପଡ଼ି ରହିଥିଲା । ଆମ୍ବୁଲାନ୍ସ ବି ଏହି ରାସ୍ତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଗଲା ହେଲେ ଅଟକି ନଥିଲା ।
ମାତ୍ର କିଛି ସ୍ବେଚ୍ଛାସେବୀ ଘଟଣାସ୍ଥଳରେ ପହଞ୍ଚି ପୌର ପରିଷଦକୁ ଖବର ଦେବାକୁ ଚେଷ୍ଟା କରିଥିଲେ । ଜଣେ ଦୁଇ ଜଣ ମୁଖ୍ୟ ଚିକିତ୍ସାଳୟକୁ ନେବା ପାଇଁ ଯୋଜନା କରିଥିଲେ । ଅସହାୟ ଯୁବକକୁ କିଛି ଖାଇବା ଓ ପାଣି ଦେବା ପରେ ସେ ଉଠି ବସିଥିଲା । କିଛି ସମୟ ପରେ ପୁଣି ତା ବାଟରେ ଚାଲିଗଲା ।
ତେବେ ଏତେ ବଡ ସହରରେ ଜଣେ ଅସହାୟ ମାନସିକ ରୋଗୀକୁ ସହଯୋଗ କରିବା ପାଇଁ ପୌର ପରିଷଦ ଆଗେଇ ଆସି ନଥିଲା । ଏହି ଅଜଣା ଯୁବକ ଗତ ଦୁଇ ତିନି ଦିନ ହେଲା ସହରରେ ବୁଲୁଥିବା ଜଣା ପଡ଼ିଛି । ହେଲେ ପୌର ପରିଷଦ ଏପରି ଅସହାୟ ଲୋକଙ୍କ ପାଇଁ ଆଶ୍ରୟସ୍ଥଳୀଟିଏ ନିର୍ମାଣ ବି କରି ପାରି ନ ଥିବା ପରିତାପର ବିଷୟ ପାଲଟିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ