ସୁବର୍ଣ୍ଣପୁର: ଜିଲ୍ଲାର ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଣି ଆଇଟିଆଇ ବିଦ୍ୟାଳୟ ମହାବିଦ୍ୟାଳୟକୁ କୋଭିଡ କେୟାର କେନ୍ଦ୍ରରେ ପରିଣତ କରାଯାଇଛି । ହେଲେ ଏହି କେନ୍ଦ୍ରରେ ଆବଶ୍ୟକ ଭିତ୍ତିଭୂମିର ଅଭାଵ ରହିଥିବା ଅଭିଯୋଗ ହେଉଛି । ଟେକ୍ନିସିଆନ ଅଭାବରୁ ଏଠାକାର ଆଇସିୟୁ ଓ ଭେଣ୍ଟିଲେଟର ଚାଲୁନାହିଁ ।
ଦ୍ଵିତୀୟ ଲହରରେ ମଣିଷର ଫୁସଫୁସ ସଂକ୍ରମଣ ହେଉଥିବାରୁ ଏହି କେନ୍ଦ୍ରରେ ଥିବା ଏକ୍ସରେ ମେସିନକୁ ବଦଳେଇ ଡିଜିଟାଲ ସ୍ଥାପନ କରିବାକୁ ଦାବି ହୋଇଛି । ପୁଣି ଦୁଇ ଶହ ଶଯ୍ୟା ପାଇଁ ମାତ୍ର 110 ଗୋଟି ଅକ୍ସିଜେନ ସିଲିଣ୍ଡର ଦିଆଯାଇଛି । ଯାହା ପର୍ଯ୍ୟାପ୍ତ ନୁହେଁ ବୋଲି ଅଭିଯୋଗ କରି ଆହୁରି 100 ଗୋଟି ସିଲିଣ୍ଡର ପ୍ରଦାନ କରିବା ପାଇଁ ଦାବି କରାଯାଇଛି ।
ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ 51 ଜଣ ଡାକ୍ତର ସ୍ଥାନରେ କାର୍ଯ୍ୟ କରୁଛନ୍ତି କେବଳ 12 ଜଣ ଡାକ୍ତର ଓ ସେଥିମଧ୍ୟରୁ ପୁଣି ଚାରି ଜଣଙ୍କୁ କୋଭିଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଦିଆଯିବା ଦୁର୍ଭାଗ୍ୟ ଜନକ ବୋଲି ଅଭିଯୋଗ ହୋଇଛି । ତେବେ କୋଭିଡ ଚିକିତ୍ସା କେନ୍ଦ୍ରରେ ଆବଶ୍ୟକ ଭିତ୍ତିଭୂମିର ବିକାଶ କରିବା ସହିତ ଜନସାଧାରଣଙ୍କୁ ଉଚିତ ସ୍ୱାସ୍ଥ୍ୟ ସେବା ଓ ଚିକିତ୍ସା ଯୋଗାଇ ଦେବା ପାଇଁ ବରିଷ୍ଠ ବିଜେପି ନେତା ବଳଦେବ ବେଦବାକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ମନୀଷା ବନାର୍ଜୀଙ୍କ ସହିତ ଆଲୋଚନା କରିବା ସହିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ