ସୁବର୍ଣ୍ଣପୁର: ଉଦଘାଟିତ ହୋଇଯାଇଛି ସଦର ବ୍ଲକ ଲକର୍ମା ଗାଁରେ ଲେମନ ଗ୍ରାସ ଚାଷର ଏକ ପ୍ରୋସେସିଂ ପ୍ଲାଣ୍ଟ । ଜିଲ୍ଲାପାଳ ମନୀଷା ବାନାର୍ଜୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓରମାସ ଦ୍ବାରା ପରିଚାଳିତ ହେବାକୁ ଥିବା ଏହି ପ୍ଲାଣ୍ଟର ଆନୁଷ୍ଠାନିକ ଆରମ୍ଭ କରିଛନ୍ତି । ଲେମନ ଗ୍ରାସ ହେଉଛି ଏକ ଲାଭଜନକ ଚାଷ । ଏହି ଚାଷ ମାଧ୍ୟମରେ ଚାଷୀମାନେ ସେମାନଙ୍କ ଜୀବିକା ନିର୍ବାହ କରିବା ସହ ସ୍ବାବଲମ୍ବୀ ହୋଇ ପାରିବେ । ଔଷଧ ପ୍ରସ୍ତୁତି ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଲେମନ ଗ୍ରାସ ତେଲର ଚାହିଦା ଅଧିକ ଥିବା ବେଳେ ବଜାରରେ ଏହି ତେଲ ଲିଟର ପିଛା ଏକ ହଜାର ଟଙ୍କାରେ ବିକ୍ରି ହେଉଛି ।
ଜିଲ୍ଲାରେ ସଦର ବ୍ଲକ ଓ ବିରମହାରାଜପୁର ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ଏହି ଚାଷ କରାଯାଇଥିବା ବେଳେ ଆଗାମୀ ଦିନରେ ସମସ୍ତ ବ୍ଲକରେ ଲେମନ ଗ୍ରାସ ଚାଷ କରିବାକୁ ଯୋଜନା କରାଯାଉଛି । ତେବେ ମା ଗ୍ରାମପତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଲକର୍ମା ପକ୍ଷରୁ ଲେମନ ଗ୍ରାସରୁ ତେଲ ବାହାର କରିବା ପାଇଁ ଏକ ପ୍ରକ୍ରିୟା କରଣ ପ୍ଲାଣ୍ଟର ବ୍ୟବସ୍ଥା କରାଯାଇଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ