ସୁବର୍ଣ୍ଣପୁର: ବାବା ସୁବର୍ଣ୍ଣମେରୁଙ୍କ ନାମରେ ନାମିତ ସୁବର୍ଣ୍ଣପୁର ବା ସୋନପୁର ଜିଲ୍ଲା । ନିଜର ସାଂସ୍କୃତିକ ବୈଭବ, କଳା, ପ୍ରାଚୀନ ଓ ଇତିହାସ ପାଇଁ ବେଶ୍ ଲୋକପ୍ରିୟ ସୋନପୁର । ପ୍ରାକୃତିକ ନୈସର୍ଗିକ ଅପରୂପା ସୌନ୍ଦର୍ଯ୍ୟର ଅନନ୍ୟ ଗନ୍ତାଘର ହେଉଛି ସୁବର୍ଣ୍ଣପୁର । ମହାନଦୀ ଆଉ ତେଲ ନଦୀ କୂଳରେ ଅବସ୍ଥିତ ଏହି ସହରଟି ନିଜର ନିଆରା କଳା, ସଂସ୍କୃତି ଓ ଐତିହ୍ୟ ପାଇଁ ବେଶ ପରିଚିତ ।
ତେବେ ଗଡଜାତ ଅଞ୍ଚଳର ପାଞ୍ଚୋଟି ଦ୍ରବ୍ୟକୁ ନେଇ ପ୍ରାଚୀନ ସୁବର୍ଣ୍ଣପୁର ଦେଶରେ ଓ ଅନ୍ତର୍ଜାତିକ ସ୍ତରରେ ମଧ୍ୟ ଖ୍ୟାତି ଅର୍ଜନ କରିଛି । ଏହି ଅଞ୍ଚଳର ମକା, ମୁଗ, ମନ୍ଦିର, ମହାନଦୀ ଓ ମଲ୍ଲୀଫୁଲ ଏଠିକାର ଲୋକ ସଂସ୍କୃତି ଓ ଅର୍ଥନୀତିକୁ ଆଜିଯାଏଁ ପ୍ରଭାବିତ କରି ଆସିଛି । ଏଠାରେ ରହିଛି ବହୁ ପ୍ରାଚୀନ ଆଉ ପ୍ରସିଦ୍ଧ ମନ୍ଦିର । ଅଷ୍ଟ ଚଣ୍ଡୀ, ଅଷ୍ଟ ବିଷ୍ଣୁ, ଅଷ୍ଟ ଶମ୍ଭୁ ଓ ଅଷ୍ଟ ହନୁମାନ ସମେତ ସହରରେ ରହିଛି ଅଷ୍ଟୋତ୍ତର 108 ମନ୍ଦିର ।
ପ୍ରତିଦିନ ପ୍ରାତଃରୁ ଦେବାଳୟଗୁଡିକ ପାଇଁ ଆବଶ୍ୟକ ପଡେ ଫୁଲ । ଜାତି ଜାତିକା ଫୁଲ ଭିତରେ ମହମହ ଚହଟଭରା ମଲ୍ଲୀଫୁଲର ଆଦର ସହରରେ ବେଶ ଅଧିକ । ବିଭିନ୍ନ ଦେବା ଦେବୀ ପାଇଁ ଭିନ୍ନ ଭିନ୍ନ ପ୍ରକାରର ଫୁଲର ଆବଶ୍ୟକତା ପଡୁଥିବା ବେଳେ ମଲ୍ଲୀଫୁଲ କିନ୍ତୁ ସବୁ ଦେବାଦେବୀଙ୍କ ଆରାଧନାରେ ସମର୍ପିତ ହୋଇଥାଏ । ଏପରି କି ଏହି ଅଞ୍ଚଳର ଖିଆଲି ଓ ଶାନ୍ତି ପ୍ରିୟ ମଣିଷମାନଙ୍କ ସହିତ ଗୃହିଣୀମାନଙ୍କ ପାଖରେ ମଲ୍ଲୀଫୁଲର ଚାହିଦା ଅଧିକ ।
ଗଡଜାତ ଶାସନ ସମୟରେ ଦେବାଳୟଗୁଡିକୁ ଫୁଲ ଯୋଗାଇ ଦେବା ପାଇଁ ବ୍ୟାପକ ପରିମାଣରେ ମଲ୍ଲୀଫୁଲ ଚାଷ କରାଯାଉଥିଲା । ବଣ ମଲ୍ଲୀ, ଲତା ମଲ୍ଲୀ, ବସୁମତୀ ତଥା ଧରିତ୍ରୀ ଆଦି ବିଭିନ୍ନ ପ୍ରଜାତିର ମଲ୍ଲୀଫୁଲ ଏହି ଅଞ୍ଚଳରେ ଦେଖିବାକୁ ମିଳୁଥିଲା । ମାତ୍ର ଏବେ ବଜାରରେ ମଲ୍ଲୀଫୁଲ ମାଳଟିଏ ପାଇବା କଷ୍ଟ ହୋଇ ପଡୁଛି । ଶ୍ରଦ୍ଧାଳୁ ତଥା ଜନସାଧାରଣଙ୍କ ପାଖରେ ମଲ୍ଲୀଫୁଲର ଆଦର ଓ ଚାହିଦା ବଢିଛି କିନ୍ତୁ ଚାହିଦା ତୁଳନାରେ ଉତ୍ପାଦନ ହୋଇ ପାରୁ ନଥିବାରୁ କୃଷି ବିଭାଗ ଏ ଦିଗରେ ଯତ୍ନବାନ ହେବାକୁ ସହରବାସୀ ଦାବି କରିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ