ସୁବର୍ଣ୍ଣପୁର: କାର ଦୁର୍ଘଟଣାକୁ ନେଇ ସୁନ୍ଦରଗଡ ପୋଲିସ ଇନିସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ ଅଡୁଆ ବଢିବାରେ ଲାଗିଛି । ଦୁର୍ଘଟଣା ଦିନ ଡ୍ରାଇଭର ନୁହଁ ବରଂ ସ୍ନିଗ୍ଧାରାଣୀ ସୁନା ନିଜେ ଗାଡି ଚଲାଉଥିଲେ ବୋଲି ଗୁରୁତର ଅଭିଯୋଗ ହୋଇଛି । ପୋଲିସ ଦୁର୍ଘଟଣାରେ ଦୋମୁହାଁ ନିତୀ ଅବଲମ୍ବନ କରିଥିବା ସ୍ବେଚ୍ଛାସେବୀ ତଥା ଆଇନଜିବୀ ବଳଦେବ ବେଦବାଗ ଅଭିଯୋଗ କରିଛନ୍ତି ।
ଏନେଇ ଗତ ମାସକ ଭିତରେ ଘଟିଥିବା ଦୁଇଟି ଭିନ୍ନ ଭିନ୍ନ ଦୁର୍ଘଟଣାର ଉଦାହରଣ ଦେଇଛନ୍ତି ଆଇନଜିବୀ ବଳଦେବ ବେଦବାଗ । ସୋନପୁର ଥାନା ଅନ୍ତର୍ଗତ ନାଏକପଡ଼ା ଦୁର୍ଘଟଣା ଏବଂ ବିନକା ଥାନାରେ ଘଟିଥିବା ଦୁଇଟି ଭିନ୍ନ ଦୁର୍ଘଟଣାରେ ପୋଲିସ ଭାରତୀୟ ପିଙ୍ଗଳ ଆଇନ IPC 304 ଦଫାରେ ମୋକଦ୍ଦମା ରୁଜୁ କରିଥିଲା । ଏହି ଦୁଇଟିଯାକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଲାଇସେନ୍ସ ପ୍ରାପ୍ତ ଡ୍ରାଇଭର ଗାଡି ଚଲାଉଥିବା ବେଳେ ପୋଲିସ ଜାମିନ ବିହୀନ ଧାରାରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ମାତ୍ର ବଡବାହାଲି ଛକ ଦୁର୍ଘଟଣାରେ ପୋଲିସ କାହିଁକି ଓ କେଉଁ ସ୍ବାର୍ଥରେ ଅଭିଯୁକ୍ତଙ୍କ ବିରୋଧରେ IPC 304 A ଦଫା ଲଗାଇଲା ବୋଲି ପ୍ରଶ୍ନ କରିଛନ୍ତି । ପୋଲିସ ନିରପେକ୍ଷ ଭାବେ ତଦନ୍ତ ନ କରି ସ୍ନିଗ୍ଧାରାଣୀଙ୍କ ଡ୍ରାଇଭର କୁହାଯାଉଥିବା ଅଜୟ ଜେଠୀକୁ ଜାମିନ ମିଳିବା ଧାରାରେ କୋର୍ଟ ଚାଲାଣ କଲା ବୋଲି ଆପତ୍ତି ଉଠାଇଛନ୍ତି ଆଇନଜିବୀ ।
ତେବେ ଘଟଣାର ପ୍ରକୃତ ତଦନ୍ତ କଲେ ଇନସପେକ୍ଟର ସ୍ନିଗ୍ଧାରାଣୀ ହିଁ ଗାଡି ଚଲାଉଥିବା ପ୍ରମାଣିତ ହେବ ବୋଲି ସେ ଜୋର ଦେଇ କହିଛନ୍ତି । ପୋଲିସ ପୁଣି ଉଭୟଙ୍କୁ 304 ଧାରାରେ ଗିରଫ କରି କୋର୍ଟ ଚାଲାଣ କରିବାକୁ ଦାବୀ କରିଛନ୍ତି । ସ୍ନିଗ୍ଧାରାଣୀଙ୍କୁ ଏହି ଘଟଣାରେ ଖସାଇ ଦେବା ଉଦ୍ୟମ କରାଯାଉଛି ଓ ନିରୀହ ମୃତକଙ୍କ ପ୍ରତି ଅନ୍ୟାୟ କରାଯାଉଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛନ୍ତି ଆଇନଜିବୀ ବଳଦେବ ବେଦବାଗ ।
ଇଟିଭି ଭାରତ, ସୁବର୍ଣ୍ଣପୁର