ସୁବର୍ଣ୍ଣପୁର: ବର୍ଦ୍ଧିତ ଫିସ୍ ପ୍ରତ୍ୟାହାର କର । ନଚେତ ଆନ୍ଦୋଳନ ଜାରି ରହିବ । ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏପରି କିଛି ଧମକ ଦେଇଛନ୍ତି ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ଯୁକ୍ତ ତିନି ଛାତ୍ରୀ । ସୁବର୍ଣ୍ଣପୁର ଜିଲ୍ଲା ବିଜୁ ପଟ୍ଟନାୟକ ଯୁକ୍ତ ତିନି ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ବର୍ଦ୍ଧିତ ଫିସ୍ ପ୍ରତ୍ୟାହାର ଓ ହଷ୍ଟେଲ ସମସ୍ୟା ସମାଧାନ ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଛାତ୍ରୀମାନେ ଶ୍ରେଣୀ ବର୍ଜନ କରିବା ସହିତ ଆନ୍ଦୋଳନ ଜାରି ରଖିଛନ୍ତି ।
ସୂଚନା ଅନୁଯାୟୀ, ମହାବିଦ୍ୟାଳୟର ଅଧ୍ୟକ୍ଷା ପରିଚାଳନା ପରିଷଦର ବିନା ଅନୁମତିରେ ଚଳିତ ଶିକ୍ଷା ବର୍ଷର ରିଆଡମିସନ ଫିସ୍ ଓ ହଷ୍ଟେଲ ଫିସ୍ ବଢାଇ ଦେଇଛନ୍ତି । ଫଳରେ ଛାତ୍ରୀମାନେ ଏହାର ପ୍ରତିବାଦ କରି ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପରେ ଛାତ୍ରୀଙ୍କ ପାଖରୁ ଆଉ ଫିସ୍ ସଂଗ୍ରହ କରାଯାଉନାହିଁ । ହେଲେ ଏଯାଏଁ ବର୍ଦ୍ଧିତ ଫିସ୍ ପ୍ରତ୍ୟାହାର କରାଯାଇନାହିଁ ।
ତେବେ ଜିଲ୍ଲା ତଥା ପଡୋଶୀ ବୌଦ୍ଧ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ 80 ଜଣ ଛାତ୍ରୀ ହଷ୍ଟେଲରେ ରହି ପାଠ ପଢୁଛନ୍ତି । ବିଭିନ୍ନ ସମୟରେ ମହାବିଦ୍ୟାଳୟର ହଷ୍ଟେଲ ମେସ୍ , ଶୌଚାଳୟ ଓ ପିଇବା ପାଣିର ସମସ୍ୟା ଥିବା ନେଇ ଛାତ୍ରୀମାନେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି । ଏପଟେ ହଷ୍ଟେଲରେ ସମସ୍ୟା ଥିବା କଥା ମହାବିଦ୍ୟାଳୟର ଅଧ୍ୟକ୍ଷା ସ୍ବୀକାର କରିଥିବା ବେଳେ ଦୈନନ୍ଦିନ ସାମଗ୍ରୀ ଓ ବିଦ୍ୟୁତ ବିଲର ବର୍ଦ୍ଧିତ ଦର ପାଇଁ ଷ୍ଟାଫ କାଉନସିଲରେ ଫିସ୍ ବୃଦ୍ଧି ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ବୋଲି କହିଛନ୍ତି ।
ପରିଚାଳନା ପରିଷଦର ବିନା ଅନୁମତିରେ ଏହି ଫିସ୍ ବୃଦ୍ଧି ଏକ ଭୁଲ ପଦକ୍ଷେପ ବୋଲି ସ୍ବୀକାର କରିବା ସହିତ ପରିଚାଳନା ପରିଷଦରେ ଆବଶ୍ୟକ ନିଷ୍ପତ୍ତି ନିଆଯିବ ବୋଲି ମହାବିଦ୍ୟାଳୟ ଅଧ୍ୟକ୍ଷା କହିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ