ସୁବର୍ଣ୍ଣପୁର: ଶ୍ରାବଣ ମାସ ପ୍ରଥମ ସୋମବାର । ଭୋଳାବାବା ପାର କରେଗା ଧ୍ବନିରେ ଐତିହାସିକ ମନ୍ଦିର ମାଳିନୀ ସୁବର୍ଣ୍ଣପୁର ସହରରେ ଗଗନ ପବନ ମୁଖରିତ ହୋଇଥାଏ । ଶ୍ରଦ୍ଧାଳୁମାନେ ମହାନଦୀ, ତେଲନଦୀ ଓ କର୍ପୁର ନଦୀର ତ୍ରିବେଣୀ ସଙ୍ଗମରୁ ଜଳ ଆଣି ସହରର ଇଷ୍ଟଦେବ ସୁବର୍ଣ୍ଣମେରୁଙ୍କ ପାଖରେ ଜଳ ଲାଗି କରିବା ସହିତ ଅଷ୍ଟଶମ୍ଭୁଙ୍କ ମନ୍ଦିର ଦର୍ଶନ କରିଥାନ୍ତି । ହେଲେ ଏଥର ସହରର ଅଷ୍ଟଶମ୍ଭୁ ମନ୍ଦିରରେ ପଡିଛି ତାଲା ।
ସକାଳୁ ସକାଳୁ ବାବା ରାମେଶ୍ବର, ସୁବର୍ଣ୍ଣମେରୁ, ପଶ୍ଚିମ ସୋମନାଥ, ଗୋକରନେଶ୍ବର ଆଦି ମନ୍ଦିର ଗୁଡିକରେ ସେବାୟତମାନେ ନୀତିକାନ୍ତି ସାରି ତାଲା ପକେଇ ଦେଇଥିଲେ । ଦେବୋତ୍ତର ବିଭାଗର ଅନୁରୋଧରେ ଜିଲ୍ଲା ପୋଲିସ ମନ୍ଦିର ଗୁଡିକରେ ପେଟ୍ରୋଲିଂ କରିଥିଲେ । ଫଳରେ ଆଜି ଶ୍ରଦ୍ଧାଳୁମାନେ ଭୋଳାବାବାଙ୍କୁ ଜଳ ଲାଗି କରିବାରୁ ବଞ୍ଚିତ ହୋଇଛନ୍ତି ।
ସହରର ଭକ୍ତମାନେ ଶିବାଳୟ ପାଚେରୀ ଆଗରେ ପ୍ରାର୍ଥନା କରି ଘରକୁ ଫେରିଛନ୍ତି । ମହାମାରୀ କୋରନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚିତ ପଦକ୍ଷେପ ନିଆଯାଇଥିଲା ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ