ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଟ୍ରାଫିକ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ହାଇଓ୍ବା ଧକ୍କାରେ ଦୁଇ ସ୍କୁଟି ଆରୋହୀ ମୃତ । ତେବେ ଦୁଇ ମୃତକ ସୋନପୁର ବ୍ଲକ ବଲାଡି ଗାଁର ରାଜକୁମାର ମହାକୁର ଓ ତାଙ୍କ ପୁଅ ଓମ୍ ପ୍ରୀତ ମହାକୁର ବୋଲି ଜଣାପଡିଛି । ପୁଅକୁ ନେଇ ଟିଉସନରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଏହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା ।
ସୂଚନା ମୁତାବକ, ସଦର ମହକୁମାର ପ୍ରମୁଖ ଟ୍ରାଫିକ ଛକରେ ସ୍କୁଟି ଯୋଗେ ପୁଅକୁ ନେଇ ଟିଉସନରୁ ଫେରୁଥିଲେ ରାଜକୁମାର ମହାକୁର । ସେହି ସମୟରେ ତାଙ୍କର ସ୍କୁଟିକୁ ହାଇୱା ଗାଡି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ବାପ-ପୁଅଙ୍କ ମୃତ୍ୟୁ ହୋଇଥିଲା । ତେବେ ଟ୍ରାଫିକ ପୋଲିସ ଉପସ୍ଥିତିରେ ଦୁର୍ଘଟଣା ଘଟାଇ ହାଇୱା ଗାଡିଟି ଘଟଣାସ୍ଥଳରୁ ଫେରାର ମାରିବା ବେଳେ ସ୍କୁଟି ହଇୱାରେ ଲାଗି ଘୋଷାଡି ହୋଇଯାଇଥିଲା ।
ଫଳରେ କିଛି ବାଟ ଗଲା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହାଇୱା ଗାଡିରେ ନିଆଁ ଲାଗି ଯାଇଥିଲା । ତେବେ ରାସ୍ତା ଉପରେ ଜଳନ୍ତା ଗାଡିକୁ ଛାଡି ଡ୍ରାଇଭର ଫେରାର ମାରିଥିବା ଜଣାପଡିଛି । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ହାଇଓ୍ବାରେ ଲାଗିଥିବା ନିଆଁକୁ ଆୟତ୍ତ କରିଛି । ଅନ୍ୟପଟେ ଦୁର୍ଘଟଣାକୁ ନେଇ ବ୍ଲକ ଛକରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିଜେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଏଥିସହ ଉତ୍ୟକ୍ତ ଲୋକଙ୍କୁ ଆୟତ୍ତ କରିବାକୁ ପୋଲିସ ମୃଦୁ ଲାଠି ଚାଳନା ମଧ୍ୟ କରିଥିଲା ।
ଏହା ମଧ୍ୟ ପଢନ୍ତୁ- ସ୍କୁଲରୁ ଫେରିବା ବେଳେ ଟ୍ରାକ୍ଟର ଧକ୍କାରେ ଛାତ୍ର ମୃତ
ଏନେଇ ସ୍ବେଚ୍ଛାସେବୀ ପ୍ରିୟବ୍ରତ ସାହୁ କହିଛନ୍ତି, "ପୋଲିସ ସାମ୍ନାରେ ଦୁଇଟି ନିରୀହ ଜୀବନ ଯାଇଛି । ଟ୍ରାଫିକ ବ୍ୟବସ୍ଥା ଠିକ ନଥିବାରୁ ଏହି ଘଟଣା ଘଟିଛି । ସବୁ ଛକରେ ସିସିଟିଭି କ୍ୟାମେରା ଲାଗିଛି । କିନ୍ତୁ ଦୁର୍ଭାଗ୍ୟତଃ ବ୍ଲକ ଛକ ଏକ ମୁଖ୍ୟ ଛକ ହୋଇଥିବା ବେଳେ ଏଠାରେ ସିସିଟିଭି କ୍ୟାମେରା ଲାଗିନାହିଁ । ସେହିପରି ଦୁର୍ଘଟଣା ଘଟିବାର ଅଧ ଘଣ୍ଟା ଯାଏ ଆମ୍ବୁଲାନ୍ସ ବି ଆସିଲା ନାହିଁ । ତେଣୁ ଆଗକୁ ରାତି ୧୦ଟା ପରେ ବଡ ଗାଡି ଚଳାଚଳ ବନ୍ଦ କରାଯାଉ ଏବଂ ବାଇପାସ୍ କରାଯାଉ । ଆଗାମୀ ଦିନରେ ଯଦି ଆମର ଏହି ଦାବି ପୂରଣ ନ ହେଉଛି ତାହେଲେ ଯୁବ କଂଗ୍ରେସ ପକ୍ଷରୁ ଜିଲ୍ଲା ବନ୍ଦ ଡାକରା ଦେବାକୁ ବାଧ୍ୟ ହେବୁ ।"
ଇଟିଭି ଭାରତ, ସୁବର୍ଣ୍ଣପୁର