ସୁବର୍ଣ୍ଣପୁର: ରବି ଋତୁ ଧାନ କିଣାରେ ଜିଲ୍ଲାର ଚାଷୀ ଆର୍ଥିକ ଭାବେ ଶୋଷଣର ଶିକାର ହେଉଥିବା ବିଜେପି ଅଭିଯୋଗ କରିଛି । ଧାନ ମଣ୍ଡି ଗୁଡିକରେ କୁଇଣ୍ଟାଲ ପ୍ରତି ପାଞ୍ଚରୁ ଦଶ କେଜି ପର୍ଯ୍ୟନ୍ତ ଧାନ କାଟି ଦିଆଯାଉଛି । ରବି ଋତୁ ଧାନରେ ଟିକିଏ ଆର୍ଦ୍ରତା ରହୁଥିବାରୁ ଚାଷୀଙ୍କୁ ପାଞ୍ଚରୁ ସାତ କେଜି ପର୍ଯ୍ୟନ୍ତ ଧାନ କାଟିବା ସହିତ ବସ୍ତା ଓଜନ ପାଇଁ ପ୍ରାୟ ଦୁଇ କେଜି ଧାନ କାଟି ଦିଆଯାଉଛି ।
ରବି ଋତୁରେ ପ୍ରାୟ ପାଞ୍ଚ-ଛଅ କୋଟି ଟଙ୍କାର ଧାନ କିଣାରେ ଦୁର୍ନୀତି ହେଉଥିବା ବିଜେପି ଅଭିଯୋଗ କରିଛି । ଅଖା ବସ୍ତା ଓ ଜରି ବସ୍ତା ଓଜନରୁ ଅଧିକ ପରିମାଣର ଧାନ କାଟି ଦିଆଯାଉଥିବାରୁ ଚାଷୀଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି । ଏକ ଜରି ବସ୍ତାର ଓଜନ ପ୍ରାୟ ୧୩୦ରୁ ୧୫୦ ଗ୍ରାମ ରହୁଥିବା ବେଳେ ପ୍ରାୟ ଏକରୁ ଦୁଇ କେଜି ଓଜନର ଧାନ ମଣ୍ଡିରେ କାଟି ଦିଆଯାଉଛି ।
ତେବେ ଚାଷୀଙ୍କ ପାଇଁ ଟୋକନ ସମସ୍ୟା ବି ମୁଣ୍ଡବ୍ୟଥାର କାରଣ ହୋଇଛି । ଧାନ କିଣା ପାଇଁ ନିର୍ଦ୍ଧାରିତ ସମୟସୀମାକୁ ବୃଦ୍ଧି କରିବା, ଚାଷୀଙ୍କୁ ଅଖାବସ୍ତା ପ୍ରଦାନ କରିବା,ବସ୍ତାର ଓଜନରୁ ଅଧିକ ପରିମାଣର ଧାନ ନକାଟିବା ତଥା ଧାନ ମଣ୍ଡି ଗୁଡିକରେ ଆବଶ୍ୟକ ଭିତ୍ତିଭୂମିର ବିକାଶ କରିବା ପାଇଁ ଦାବି ହୋଇଛି । ଜିଲ୍ଲାରେ ଦୁଇ ଜଣ କ୍ୟାବିନେଟ ମନ୍ତ୍ରୀ ଥାଇ ବି ଚାଷୀଙ୍କ ଶୋଷଣ ହେଉଥିବା ଅଭିଯୋଗ କରି ବିଜେପି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛି । ଧାନ ସଂଗ୍ରହ ନୀତିରେ ସ୍ବଚ୍ଛତା ଆଣିବା ପାଇଁ ବିଜେପି ଦାବି କରିଛି ।
ଇଟିଭି ଭାରତ, ସୁବର୍ଣ୍ଣପୁର