ସୁବର୍ଣ୍ଣପୁର: ଜିଲ୍ଲାରେ ଚାଷୀ ପଞ୍ଜିକରଣରେ ଅନିୟମିତତା ହୋଇଥିବା ଏକ ଘଟଣା ପୁଣି ସାମ୍ନାକୁ ଆସିଛି । କୋଟସମଲାଇ ପଞ୍ଚାୟତର ହରିଣାପାଲି ଗାଁର ସନ୍ତୋଷ ସେଠୀଙ୍କ ଅଜାଣତରେ ତାଙ୍କ ଚାଷଜମିରେ ଅନ୍ୟ କେହି ଧାନ ବିକ୍ରୟ କରୁଥିବା ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ପାଖରେ ଅଭିଯୋଗ ହୋଇଛି ।
ସନ୍ତୋଷଙ୍କ ଅଜାଙ୍କ ନାମରେ ଥିବା ଗୋଟିଏ ଏକର 150 ଡିସିମିଲ ଜମିରୁ ଉତ୍ପାଦିତ ଧାନ କେହି ଅନ୍ୟଜଣେ ବିକ୍ରୟ କରୁଥିବା କୋଟସମଲାଇ ପ୍ୟାକ୍ସ ସମ୍ପାଦକ କହିବା ପରେ ସେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଛନ୍ତି । ଚଡେଇପଙ୍କ ପଞ୍ଚାୟତର କିଶୋର କୁମାର ମେହେର ନାମକ କେହି ଜଣେ ବ୍ୟକ୍ତି ସନ୍ତୋଷ ସେଠୀଙ୍କ ଜାଲ୍ କାଗଜପତ୍ର କରି ଧାନ ବିକ୍ରୟ କରିଥିବା ଘଟଣା ନଜରକୁ ଆସିଛି । ଜମି ମାଲିକଙ୍କ ଅଜାଣତରେ କୁତମେଣ୍ଡା ଗାଁର ସାଇରାମ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ନିକଟରେ ନାମ ପଞ୍ଜିକରଣ କରାଯାଇ ଧାନବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି ।
ସେହିପରି ହରିଣାପାଲି ଗାଁର ବାସୁଦେବ ଜଗତଙ୍କ ନାଁରେ ବି ଅନ୍ୟ କେହି ଜଣେ 2 ଏକର 390 ଡିସିମିଲ ଚାଷଜମିର ଉତ୍ପାଦିତ ଧାନ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି । ଉଭୟ ଚାଷୀ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ପାଖରେ ଲିଖିତ ଅଭିଯୋଗ କରି ଏହାର ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି ଏବଂ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ସହିତ ତାଙ୍କ ଉତ୍ପାଦିତ ଧାନ ବିକ୍ରୟ କରିବା ପାଇଁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି । ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ କୃଷ୍ଣ ପ୍ରସାଦ ସୂପକାର ଏହି ଦୁଇ ଚାଷୀଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରତିଶୃତି ଦେଇଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ