ସୁବର୍ଣ୍ଣପୁର: ଆଜକୁ ମାସେ ଚାରି ଦିନ ହେବ ଗୌତମ ନିଖୋଜ ହୋଇଗଲାଣି । ହେଲେ ସୁବର୍ଣ୍ଣପୁର ଟାଉନ ଥାନା ପୋଲିସ ତା’ର ଟେର ପାଉନି । ପରିବାର ଲୋକେ ଗୌତମକୁ ଖୋଜି ଖୋଜି ନିରାଶ ହେବା ପରେ ପୋଲିସର ଆଶ୍ରୟ ନେଇଥିଲେ । ହେଲେ ଭୋଇପାଲି ଗାଁର ନିଖୋଜ ଗୌତମ ଭୋଇ ଆଜିଯାଏଁ ଘରକୁ ଫେରିନାହାନ୍ତି ।
ଗାଁର ବୀର ସିଂ ଭୋଇ ଗୌତମଙ୍କ ସହ ନିକଟସ୍ଥ ଜଙ୍ଗଲକୁ ଜାଲେଣୀ କାଠ ସଂଗ୍ରହ କରିବାକୁ ଯାଇଥିଲେ । ତେବେ ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତା’ର ସଂସ୍ପର୍ଶରେ ଆସି ଉଭୟ ଆହତ ହୋଇଥିବା ଖବର ମିଳିଥିଲା । ଆହତ ବୀର ସିଂକୁ ତାଙ୍କ ପରିବାର ଲୋକେ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।
ତେବେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେ ସେଠାରୁ କେଉଁଆଡେ ଲୁଚି ପଳାଇଥିଲେ । ସେପଟେ ଗୌତମଙ୍କ ସନ୍ଧାନ କରିବା ପାଇଁ ସଦର ଟାଉନ ଥାନାର ସହଯୋଗ ପରିବାର ଲୋକେ ଲୋଡିଥିଲେ ସୁଦ୍ଧା, ଆଜିଯାଏଁ ଗୌତମଙ୍କ ସୁରାକ ମିଳି ନଥିବା ବେଳେ ବୀର ସିଂକୁ ମଧ୍ୟ ପୋଲିସ ଠାବ କରିବାରେ ଫେଲ ମାରିଛି ।
ଏବେ ଗୌତମ ମୃତ ନା ଜୀବିତ ସେକଥା ଜାଣି ପାରୁନାହାନ୍ତି ପରିବାର । ସଦର ଏସଡିପିଓ ପୁଷ୍ପାଞ୍ଜଳି ମିଞ୍ଜ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଫେରିବା ପରେ ପରିବାର ଲୋକଙ୍କୁ ସେହି ଏକା ଉତ୍ତର ଦେଇଥିଲେ ‘ଖବର ମିଳିଳେ କହିବେ।’ ପରିବାର ଲୋକେ ସଦର ଥାନାକୁ ଧାାଉଁଥିବା ବେଳେ ଏହି ସମ୍ବେଦନଶୀଳ ବିଷୟର ରହସ୍ୟ ଉନ୍ନୋଚନ କରିବାରେ ପୋଲିସ ବିଫଳ ହୋଇଥିବା ଅଭିଯୋଗ ହେଉଛି । ସତରେ ଫେରିବେ କି ଗୌତମ ଏଇ ଚିନ୍ତାରେ ପରିବାର ଲୋକଙ୍କ ଆଖିରୁ ନିଦ ହଜିଯାଇଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ