ସୁବର୍ଣ୍ଣପୁର: ଜିଲ୍ଲାର ଉଲୁଣ୍ଡା ରେଞ୍ଜରେ ଥମୁନି ହାତୀ ଉପଦ୍ରବ । ଧାନ ଅମଳ ହେବା ସମୟରେ ଦଳଦଳ ହାତୀ ପଲ ବସ୍ତି ଭିତରକୁ ଆସି ବ୍ୟାପକ ପରିମାଣରେ ଧନ ଜୀବନ ନଷ୍ଟ କରୁଛନ୍ତି । ଘରଦ୍ବାର ଭାଙ୍ଗିବା ସହ ଧାନ ଫସଲ ଦଳି ଚକଟି ନଷ୍ଟ କରୁଛନ୍ତି । ହାତୀ ଘଉଡାଇବାରେ ବନ ବିଭାଗ ବିଫଳ ହେଉଥିବା ବେଳେ ଲୋକେ ଭୟ ଓ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି ଲୋକେ ।
ସୂଚନାମୁତାବକ, ପ୍ରାୟ 22 ରୁ 24ଟି ହାତୀ ବସ୍ତି ଅଞ୍ଚଳକୁ ପଶି ଆସୁଥିବାବେଳେ ସେମାନଙ୍କୁ ଘଉଡ଼ାଇବା ପାଇଁ ଘଣ୍ଟ, ନିଆଁହୁଳା,ବାଜା ଆଦି ବ୍ୟବହାର କରୁଛନ୍ତି ଲୋକେ । ବନ ବିଭାଗକୁ ଖବର ଦେଲେ ମଧ୍ୟ ବନ ବିଭାଗ ହାତୀ ଘଉଡାଇବା ପାଇଁ ସକ୍ରିୟ ହେଉନଥିବା ଅଭିଯୋଗ ହୋଇଛି । ଜିଲ୍ଲାର ସିଂହାସନ ଜଙ୍ଗଲ ହାତୀଙ୍କର ବାସସ୍ଥାନ ପାଲଟିଥିବାବେଳେ ନିକଟରେ ଥିବା ଉଲୁଣ୍ଡା ରେଞ୍ଜର ବଡ଼ମାଲ ଗାଁରେ ଆଜକୁ ଦେଢ଼ମାସରୁ ଅଧିକ ହେଲା ହାତୀ ଉତ୍ପାତ କରୁଛନ୍ତି ।
ଲୋକେ ହାତୀ ଭୟରେ ସନ୍ଧ୍ୟାରେ ଘରୁ ବାହାରୁ ନାହାନ୍ତି । ଦିନ ବେଳା ହାତୀ ଘଉଡାଇବାରେ ସମୟ ନଷ୍ଟ ହେଉଛି । ତେବେ ଭୟ ଆତଙ୍କରେ ଜୀବନ ଜିଉଁଥିବା ବେଳେ କ୍ଷତିପୂରଣ ଦେବାକୁ ଦାବି କରୁଛନ୍ତି । ବନ ବିଭାଗ ହାତୀ ଟ୍ରାକିଂ ପାଇଁ ବିଶେଷ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ଅପରପକ୍ଷରେ ହାତୀଙ୍କ ଉପରେ ବନ ବିଭାଗର ସତର୍କ ଦୃଷ୍ଟି ଥିବାବେଳେ କ୍ଷୟକ୍ଷତି ଆକଳନ ପରେ କ୍ଷତିପୂରଣ ଦିଆଯିବ ବୋଲି ଉଲୁଣ୍ଡା ଫରେଷ୍ଟର କହିଛନ୍ତି ।
ତେବେ ହାତୀ ବସ୍ତି ଅଞ୍ଚଳକୁ ନ ଆସିବା ପାଇଁ ବସ୍ତି ଦିଗରେ ଟ୍ରେଞ୍ଚ ଖୋଲିବାକୁ ଦାବି କରିଛନ୍ତି ଲୋକେ ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ