ସୁବର୍ଣ୍ଣପୁର: ବିପଦରେ ଗଜରାଜ । ପୁଣି ଏକ ହାତୀଛୁଆର ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ବାଘପାଲି ମହାନଦୀ କୂଳରେ ଏକ ହାତୀ ଛୁଆର ମୃତ୍ୟୁ ହୋଇଛି । ହାତୀ ଛୁଆର ବୟସ ଦେଢ ମାସ ହୋଇଥିବାବେଳେ ଅସୁସ୍ଥତା କାରଣରୁ ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।
ସୂଚନାନୁଯାୟୀ, ଶୁକ୍ରବାର ରାତିରେ 24 ଟିକିଆ ହାତୀ ପଲ ବିନିକା ପଟୁ ମହାନଦୀ ପାର ହୋଇ ବାଘପାଲି ଅଞ୍ଚଳକୁ ଆସିଥିଲେ । ହାତୀ ପଲ ମଧ୍ୟରେ 2ଟି ହାତୀ ଛୁଆ ରହିଥିଲେ । ତେବେ ମହାନଦୀ ପାରି ହେବା ପରେ ହାତୀ ଛୁଆଟି ମହାନଦୀ କୂଳରେ ମରିଯାଇଥିବା ଜଣାଯାଇଛି ।
ଦୀର୍ଘ ଏକମାସରୁ ଉର୍ଦ୍ଧ୍ବ ସମୟ ହେଲା ହାତୀପଲ ଏହି ଅଞ୍ଚଳରେ ଫସଲ ଖାଇବାକୁ ଘୁରି ବୁଲୁଛନ୍ତି । ଗତ ନଭେମ୍ବର ମାସ ୧୯ ତାରିଖରେ ଏହି ରେଞ୍ଜ ଅନ୍ତର୍ଗତ ସାରସଦାଦର ଜଙ୍ଗଲରେ ମଧ୍ୟ ଗୋଟିଏ ହାତୀର ମୃତ୍ୟୁ ହୋଇଥିଲା । ବନ ବିଭାଗର କର୍ମଚାରୀମାନେ ପଶୁ ଚିକିତ୍ସକଙ୍କ ସହିତ ଘଟଣାସ୍ଥଳକୁ ପହଞ୍ଚି ହାତୀ ମୃତ୍ୟୁର କାରଣ ଖୋଜିବା ସହିତ ମୃତଦେହକୁ ବ୍ୟବଚ୍ଛେଦ କରି ପୋତିଦେବା ପାଇଁ ବ୍ୟବସ୍ଥା କରୁଥିବା ଜଣାପଡ଼ିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ