ସୁବର୍ଣ୍ଣପୁର: ଜିଲ୍ଲାରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଚାଷୀ ମହଲରେ ଭାଲେଣୀ ପଡିଛି । ଚଳିତ ବର୍ଷ ଏଯାଏଁ ଆବଶ୍ୟକତା ଠାରୁ ପ୍ରାୟ 24 ପ୍ରତିଶତ କମ ବର୍ଷା ହୋଇଛି । ଫଳରେ ଖରିଫ ଋତୁ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ବେଳେ ଏବେ ମରୁଡି ପରିସ୍ଥିତି ଦେଖା ଦେଇଛି । ବିହନ ସାର ଅଭାବରେ ଚାଷୀ ବିଳମ୍ବରେ ଚାଷ କାର୍ଯ୍ୟ ଆରମ୍ଭ କରିଛି । ସେହିପରି କାଦୁଅ ସାର ଓ ଦୁଇ ବୁଲିଆ ୟୁରିଆ ସାର ପାଇଁ ଚାଷୀ ବେଶ ହଇରାଣ ହେଉଛନ୍ତି ।
ଆଉ ଏବେ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଚାରୋଟି ବ୍ଳକରେ ମରୁଡି ପରିସ୍ଥିତି ଉପୁଜିଛି । ବିିଶେଷ କରି ଅଣ ଜଳସେଚିତ ସଦର ସୋନପୁର, ବୀରମହାରାଜପୁର, ତରଭା ଓ ଉଲୁଣ୍ଡାର ଧାନ ଚାଷ ଅନେକାଂଶରେ କ୍ଷତିଗ୍ରସ୍ତ ହୋଇଛି । ବାହାଲ କିସମ ଜମିକୁ ବାଦ ଦେଲେ ବେର୍ଣ୍ଣା, ଆଟ ଓ ମାଳ କିସମ ଜମି ମରୁଡିର ସମ୍ନୁଖୀନ ହୋଇଛି । ଚାଷୀମାନେ କରିଥିବା ସଅଳ ଅମଳ କିସମ ଧାନ ଚାଷ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଆଟ, ମାଳ ଆଦି କିସମ ଜମିର ଧାନ ଚାଷ ବର୍ଷା ଅଭାବରୁ ବିହୁଡି ପାରି ନାହାନ୍ତି ।
ସେହିପରି ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଅନେକ ଯାଗାରେ ଧାନ ଅବିହୁଡା ହୋଇଥିବା ବେଳେ ଚାଷୀ ଆଉ ରାସାୟନିକ ସାର ବି ଦେଇନାହାନ୍ତି। ତେବେ ବିଭିନ୍ନ ଜଳ ଉତ୍ସରୁ ଚାଷୀମାନେ ନିଜ ପ୍ରୟାସରେ ପାଣି ମଡାଇ କିଛି ଯାଗାରେ ଧାନ ଗଛ ବଞ୍ଚାଇ ପାରିବାରେ ସକ୍ଷମ ହୋଇଛନ୍ତି । ତେବେ ହୀରାକୁଦ ଜଳସେଚିତ ଅଞ୍ଚଳ ବିନିକା ଓ ଡୁଙ୍ଗୁରିପାଲି ବ୍ଳକରେ ଚାଷ ଉତ୍ସାହଜନକ ହୋଇଥିବା ବେଳେ ବାକି ଚାରୋଟି ବ୍ଳକରେ ଚାଷୀ ବାହାଲ ଜମିକୁ ବାଦ ଦେଲେ ଆଉ ଦା ଧରିବ ନାହିଁ ବୋଲି ଜଣା ପଡୁଛି । ତେବେ ଚାଷୀଙ୍କ ହିତ ଦୃଷ୍ଟିରୁ ରାଜ୍ୟ ସରକାରଙ୍କୁ ଏବେଠୁ ଚାରୋଟି ବ୍ଳକରେ ମରୁଡି ଘୋଷଣା କରିବାକୁ ଦାବି ହୋଇଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ