ସୁବର୍ଣ୍ଣପୁର: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଚଳଚଞ୍ଚଳ ସୁବର୍ଣ୍ଣପୁରର ସମସ୍ତ ଶୈବ ପୀଠ । ଭଗବାନ ଶିବଙ୍କୁ ଦର୍ଶନ କରିବା ସହ ଜଳଲାଗି କରିବାକୁ ଅଷ୍ଟଶମ୍ଭୁଙ୍କ ମନ୍ଦିରରେ ସକାଳୁ ସକାଳୁ କାଉଡିଆଙ୍କ ସମାଗମ ହୋଇଥିଲା । ଧାଡିରେ ଛିଡା ହୋଇ ଭଗବାନଙ୍କୁ ଦର୍ଶନ କରିଥିଲେ କାଉଡିଆ । ବିଶେଷକରି ଜିଲ୍ଲାର ବାବା ସୁବର୍ଣ୍ଣମେରୁ, ରାମେଶ୍ବର, ପଶ୍ଚିମ ସୋମନାଥ ,ଗୋକର୍ଣ୍ଣେଶ୍ବର ଓ ଲୋକନାଥ ଆଦି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା।
କାଉଡିଆ ମାନେ ତେଲନଦୀ, ମହାନଦୀ ଓ କର୍ପୁର ନଦୀର ତ୍ରିବେଣୀ ସଂଗମରୁ ଜଳ ଆଣି ଭଗବାନଙ୍କ ନିକଟରେ ଜଳଲାଗି କରିଥିଲେ । ସେହିପରି ଚରଦାର କପିଳେଶ୍ବର, ବୈଦ୍ୟନାଥର କୋଶଳେଶ୍ବର, ବୀରମହାରାଜପୁର ଅଞ୍ଚଳର ଚମ୍ପେଶ୍ବର ଓ ଗୋଧନେଶ୍ବର ଆଦି ପ୍ରାଚୀନ ପୀଠ ଗୁଡିକରେ ହଜାର ହଜାର ଶ୍ରଦ୍ଧାଳୁ ବାବାଙ୍କୁ ଦର୍ଶନ କରିବା ସହିତ ଜଳ ଚଢାଇଛନ୍ତି । ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ କାଉଡିଆ ମାନଙ୍କୁ ବିଭିନ୍ନ ପ୍ରକାରର ସେବା ଯୋଗାଇ ଦିଆଯାଉଥିବା ଦେଖିବାକୁ ମିଳିଥିଲା ।