ସୁବର୍ଣ୍ଣପୁର: ବୀରମହାରାଜପୁର ଥାନା ଉପର ମହଲାରୁ ତଳକୁ ଡେଇଁ ପଡିଥିବା ଅଭିଯୁକ୍ତର ମୃତ୍ୟୁ ହୋଇଛି । ବୀରମହାରାଜପୁର ଉପଖଣ୍ଡର ଟିଠିପାଲି ଗାଁର ଲିଙ୍ଗ ଅମାତକୁ ପୋଲିସ ଗତକାଲି ମଧ୍ୟାହ୍ନରେ ଥାନାକୁ ଆଣିଥିଲା । ମୃତ ଲିଙ୍ଗ ଅମାତ ମଙ୍ଗଳବାର ଦିନ ବୀରମହାରାଜପୁର ତହସିଲ କାର୍ଯ୍ୟାଳୟରେ ପାଟି ତୁଣ୍ଡ କରିଥିଲା । ଏହି ଅଭିଯୋଗରେ ତାକୁ ପୋଲିସ ପଚରା ଉଚୁରା କରିବା ପାଇଁ ଥାନାକୁ ଆଣିଥିଲା ।
ପୋଲିସ କହିବା ଅନୁଯାୟୀ ମୃତକ ଥାନାରେ ବସିଥିବା ବେଳେ ହଠାତ ଥାନାର ଉପର ମହଲାକୁ ଯାଇ ତଳକୁ ଡେଇଁ ପଡିଥିଲା । ଫଳରେ ଗୁରୁତର ଭାବେ ତାକୁ ପୋଲିସ ବୀରମହାରାଜପୁର ଡାକ୍ତରଖାନାକୁ ଆଣି ଚିକିତ୍ସା କରାଯାଇଥିଲା । ମୃତକର ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ନହେବାରୁ ପୋଲିସ ତାକୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲା । ହେଲେ ଗତକାଲି ରାତିରେ ଲିଙ୍ଗ ଅମାତର ମୃତ୍ୟୁ ଘଟିଛି ।
ଆଜି ଶବ ବ୍ୟବଛେଦ ପରେ ଲିଙ୍ଗ ଅମାତକୁ ଗାଁ ମଶାଣୀରେ ସଂସ୍କାର କାର୍ଯ୍ୟ ପାଇଁ ଅଣାଯାଉଥିବା ଜଣାପଡିଛି । ପୋଲିସ କର୍ତ୍ତବ୍ୟରେ ଅବହେଳା କରିବା ସହିତ ଥାନା ଭିତରେ ମଧ୍ୟ ସୁରକ୍ଷା ଦେଇ ପାରୁ ନଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର । ଲିଙ୍ଗ ଅମାତର ମୃତ୍ୟୁ ପାଇଁ ବୀରମହାରାଜପୁର ପୋଲିସକୁ ଦାୟୀ କରିଛନ୍ତି ପରିବାର ଲୋକେ । ଲିଙ୍ଗ ଅମାତର ଚିକିତ୍ସା ପାଇଁ ପରିବାର ବର୍ଗଙ୍କୁ ଖବର ବି ଦିଆଯାଇ ନଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ