ସୁବର୍ଣ୍ଣପୁର: କରୋନାକୁ ନେଇ ସାରା ବିଶ୍ବ ଭୟଭୀତ ଥିବା ବେଳେ ଏହି ସଂକ୍ରମଣକୁ ରୋକିବାକୁ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା ଅବଲମ୍ବନ କରାଯାଉଛି । ଏହି ସଂକ୍ରମଣର ପ୍ରସାର ରୋକିବାକୁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଣିକି ଶ୍ରଦ୍ଧାଳୁମାନଙ୍କ ପାଇଁ ବନ୍ଦ ରହିବ ଦେବାଦେବୀ ଦର୍ଶନ । କେବଳ ପୂଜକମାନେ ମନ୍ଦିରର ନୀତିକାନ୍ତି କରିବେ । ଗୁରୁବାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ବୈଠକରେ କରୋନାରୁ ଜନସାଧାରଣଙ୍କୁ ସୁରକ୍ଷିତ ରଖିବାକୁ ଏପରି ନିଷ୍ପତ୍ତି ନିଆଯାଇଛି ।
କରୋନା ସଂକ୍ରମଣରୁ ଜନସାଧାରଣଙ୍କୁ ସୁରକ୍ଷା ଦେବା ସହିତ ଲୋକଙ୍କ ଭିତରେ ବ୍ୟାପକ ସଚେତନତା କରୁଛି ପ୍ରଶାସନ । ଧାର୍ମିକ ପୀଠ ଗୁଡିକରେ ଜନସମାବେଶ ହେଉଥିବାରୁ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ଆଜିର ଏହି ବୈଠକରେ ଜିଲ୍ଲା ଦେବୋତ୍ତର ଅଧିକାରୀ, ମନ୍ଦିର କମିଟିଗୁଡିକର କାର୍ଯ୍ୟକର୍ତ୍ତାଙ୍କ ସମେତ ପୂଜକମାନଙ୍କ ପ୍ରତିନିଧିମାନେ ସାମିଲ ହୋଇଥିଲେ ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ