ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଜାତୀୟ ସଡକ ସୁରକ୍ଷା ମାସ ପାଳିତ ହେଉଛି । ପରିବହନ ବିଭାଗ ପକ୍ଷରୁ ପ୍ରତ୍ୟେକ ଦିନ ଜନସଚେତନତା ପାଇଁ କିଛି ନା କିଛି କାର୍ଯ୍ୟକ୍ରମ ଚାଲିଛି । ଏହି ଅବସରରେ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଏକ ସାଇକେଲ ଶୋଭାଯାତ୍ରାର ଆୟୋଜନ କରାଯାଇଛି ।
ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରମେଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ସାଇକେଲ ଶୋଭାଯାତ୍ରାର ଉଦଘାଟନ କରି ପରିକ୍ରମା ପାଇଁ ସବୁଜ ପତାକା ଦେଖାଇ ଅନୁମତି ପ୍ରଦାନ କରିଥିଲେ । ତେବେ ଏହି ସଚେତନତା ଶୋଭାଯାତ୍ରା ଜିଲ୍ଲା ପରିବହନ ବିଭାଗ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରି ପୁଣି ପରିବହନ କାର୍ଯ୍ୟାଳୟକୁ ପହଞ୍ଚିଥିଲା ।
ତେବେ ଜିଲ୍ଲାରେ ଦିନକୁ ଦିନ ସଡକ ଦୁର୍ଘଟଣା ବଢି ବଢି ଚାଲିଛି । ଗତ 10 ମାସ ଭିତରେ 92 ଗୋଟି ଦୁର୍ଘଟଣା ହୋଇଥିବା ବେଳେ 63 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ସରକାର ଏଥର କୋରୋନା ପାଇଁ ରାଜସ୍ୱ ଧାର୍ଯ୍ୟ କରି ନଥିବା ବେଳେ ପ୍ରାୟ ସାଢ଼େ ସାତ କୋଟି ଟଙ୍କାର ରାଜସ୍ବ ଆଦାୟ ହୋଇଛି । ସେହିପରି ଭାବେ ପରିବହନ ବିଭାଗ ପକ୍ଷରୁ ମାସ ବ୍ୟାପି ସଚେତନତା କାର୍ଯ୍ୟକ୍ରମ ଚାଲିଛି । ହେଲେ ଲୋକେ ସୁରକ୍ଷା ନିୟମ ପାଳନ କରିବାକୁ ହେଲା କରି ବେଶ ଅସୁବିଧାରେ ପଡୁଥିବା ଦେଖିବାକୁ ମିଳୁଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ