ସୁବର୍ଣ୍ଣପୁର: ଜିଲ୍ଲା ଉଲୁଣ୍ଡା ବ୍ଳକ ପଞ୍ଚମହଲା ପଞ୍ଚାୟତର ବରିଷ୍ଠ ନାଗରିକମାନେ ଜିଲ୍ଲା ପ୍ରଶାସନ ଆଗରେ ଭତ୍ତା ପ୍ରଦାନରେ ପଞ୍ଚାୟତ ସମିତି କର୍ତ୍ତୃପକ୍ଷ ଅବହେଳା ହୋଇଥିବା ଅଭିଯୋଗ କରିଛନ୍ତି । ଏହା ସହିତ ଭତ୍ତା ଟଙ୍କାକୁ ବ୍ୟାଙ୍କ ପରିବର୍ତ୍ତେ ହାତକୁ ଦେବାକୁ ଦାବି କରିଛନ୍ତି ହିତାଧିକାରୀ ।
ପୂର୍ବରୁ ଗ୍ରାମ ପଞ୍ଚାୟତରେ ବାର୍ଦ୍ଧକ୍ୟ ଭତ୍ତା ଓ ବିଧବା ଭତ୍ତା ହିତାଧିକାରୀଙ୍କୁ ପ୍ରଦାନ କରାଯାଉଥିଲା । ଏବେ ହିତାଧିକାରୀଙ୍କୁ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଭତ୍ତା ପ୍ରଦାନ କରାଯାଉଛି । ଫଳରେ ବୟସର ଅପରାହ୍ନରେ ପହଞ୍ଚିଥିବା ଲୋକେ ଭତ୍ତା ଟଙ୍କା ଆଣିପାରୁ ନାହାନ୍ତି । ନେଇ ଯାଇ ପାରୁନାହାନ୍ତି । ଭତ୍ତା ଟଙ୍କା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ହିଁ ପ୍ରଦାନ କରିବା ପାଇଁ ସରଞ୍ଚଙ୍କ ପାଖରୁ ଆରମ୍ଭ କରି ପଞ୍ଚାୟତ ସମିତି କର୍ତ୍ତୃପକ୍ଷଙ୍କ ପାଖରେ ଗୁହାରି କରିଛନ୍ତି । ହେଲେ ଏ ଦିଗରେ କେହି କାର୍ଯ୍ୟାନୁଷ୍ଠାନ ନେଇ ଭତ୍ତା ସିଧାସଳଖ ହିତାଧିକାରୀଙ୍କୁ ଦେବା ପାଇଁ ଶୁଣୁ ନ ଥିବା ଅଭିଯୋଗ କରିଛନ୍ତି ।
ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଭତ୍ତା ପ୍ରଦାନ କରାଯାଉଥିବାରୁ ହିତାଧିକାରୀମାନେ ଦୂରବାଟ ଭତ୍ତା ଟଙ୍କା ପାଇଁ ଯାଇ ନ ପାରୁ ନାହାନ୍ତି । ସେମାନଙ୍କୁ ଅନ୍ୟର ଆଶ୍ରୟ ନେବାକୁ ପଡୁଛି । ତେବେ ହିତାଧିକାରୀଙ୍କୁ ଗ୍ରାମ ପଞ୍ଚାୟତରେ ନଗଦ ଭତ୍ତା ରାଶି ପ୍ରଦାନ କରାଗଲେ ହିତାଧିକାରୀମାନେ ନିଜସ୍ବ ଖର୍ଚ୍ଚ କରି ପାରିବେ ବୋଲି ଦାବି କରିଛନ୍ତି । ଭତ୍ତା ପ୍ରଦାନ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲାପାଳ ହିତାଧିକାରୀଙ୍କୁ ଗ୍ରାମ ପଞ୍ଚାୟତ ସଦର ମହକୁମାରେ କିଭଳି ଭତ୍ତା ପ୍ରଦାନ କରାଯାଇ ପାରିବ, ସେ ଦିଗରେ ପଦକ୍ଷେପ ନେବାକୁ ପଞ୍ଚାୟତ ସମିତି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ