ସୁବର୍ଣ୍ଣପୁର: ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ଲକର୍ମା ଗାଁରେ ଫଳପ୍ରସୂ ହୋଇଛି ପଡିଆ ଜମି। ଯେଉଁ ଚାଷ ଜମିରେ ଦୂବ ଉଠୁ ନଥିଲା ଏବେ ସେହି ଜମିରେ ହସୁଛି ଲେମନ ଗ୍ରାସ । ଶହ ଶହ ଏକର ପଡିଆ ଜମିରେ ଲେମନ ଗ୍ରାସ ଚାଷ କରି ଛୋଟ ଛୋଟ ଚାଷୀମାନେ ବେଶ ଦୁଇ ପଇସା ରୋଜଗାର କରୁଛନ୍ତି ।
ପୂର୍ବରୁ ଚାଷୀମାନେ ଏହି ଜମିରେ ବିଭିନ୍ନ ପ୍ରକାରର ଡାଲିଜାତୀୟ ଚାଷକରି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏହି ପଡିଆ ଜମିରେ ଏବେ ଲେମନ ଗ୍ରାସ ଚାଷ କରୁଛନ୍ତି । ଗାଇଗୋରୁ ମାନେ ବି ଏହି ଲେମନ ଗ୍ରାସ ଖାଉ ନ ଥିବାରୁ ଚାଷୀମାନେ ଏହି ଚାଷରୁ ବେଶ ଲାଭବାନ ହେଉଛନ୍ତି ।
ଜିଲ୍ଲା ପ୍ରଶାସନର ସହଯୋଗରେ ଜିଲ୍ଲାର ଲକର୍ମା ଗାଁରେ ପ୍ରଥମ କରି ଲେମନ ଗ୍ରାସ ପ୍ଲାଣ୍ଟ ତିଆରି ହୋଇଛି । ଏହି ପ୍ଲାଣ୍ଟରୁ ଲେମନ ତେଲ ଉତ୍ପାଦନ ହେଉଛି । ଯାହାର ବଜାରରେ ଲିଟର ପିଛା ହଜାରେ ଟଙ୍କା ରହିଛି । ତେବେ ଏହି ପ୍ଲାଣ୍ଟ ଯୋଗୁଁ ଚାଷୀମାନେ ଏବେ ପଡିଆ ଜମିକୁ ଫଳପ୍ରସୂ କରି ପାରିଥିବା ବେଳେ ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରୁଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ