ସୁବର୍ଣ୍ଣପୁର: ଜଙ୍ଗଲରୁ ନିଆଁ ଏବେ ଧିରେ ଧିରେ ଜନବସତି ମୁହାଁ ହେଲାଣି । କେବଳ ଯେ, ଦୁର୍ବୃତ୍ତମାନେ ଜଙ୍ଗଲରେ ନିଆଁ ଲଗାଉଥିଲେ ତାହା ନୁହେଁ, ବର୍ତ୍ତମାନ ସହରର ଜନବସତି ଅଞ୍ଚଳରେ ଅଳିଆ ଗଦାରେ ନିଆଁ ଲଗାଉଥିବା ଦେଖିବାକୁ ମିଳିଛି । ଯାହା ପରିବେଷ ପ୍ରଦୂଷଣ କରିବା ସହ ତାପମାତ୍ରା ବୃଦ୍ଧିର କାରଣ ହେଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
ନିକଟରେ ବୀରମହାରାଜପୁର ସହର ଅଳିଆ ଗଦାରେ ନିଆଁଲାଗି ଏକ ଦୋକାନ ଘର ପୋଡିଯାଇ ପାଉଁଶ ହୋଇ ଯାଇଥିଲା । ଜନବସତିରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଉଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ, ପୋଲିସ ଅବା ବନ ବିଭାଗ ଏହା ଉପରେ ଅଙ୍କୁଶ ଲଗାଇ ପାରୁନାହାନ୍ତି । ବନ ବିଭାଗ ଜଙ୍ଗଲରେ ନିଆଁ ଲଗାଇଥିବା ଅଭିଯୋଗରେ ଜଣକୁୁ ମାତ୍ର ଗିରଫକରି କୋର୍ଟଚାଲାଣ କରିଛି । ସେପଟେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଛପଟେ ବି ନିଆଁ ଲଗାଇ ଦିଆଯାଇଥିଲା । ଏହିପରି ବିଭିନ୍ନ ସ୍ଥାନରେ ବାରମ୍ବାର ନିଆଁ ଲଗାଇ ଦିଆଯାଉ ଥିବାବେଳେ ଏପରି ହରକତ କରୁଥିବା ଦୁର୍ବୃତ୍ତଙ୍କୁ ଧରିବାରେ ବିଫଳ ହୋଇଛି ପୋଲିସ । ଯାହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ତେବେ ଅଳିଆ ଗଦାର ନିଆଁ ଓ ଧୂଆଁ ଯୋଗୁଁ ଲୋକେ ଅତିଷ୍ଠ ହୋଇପଡୁ ଥିବାବେଳେ ସହର ଭିତରେ ଆବର୍ଜନା ଜମାନକରି ଅଳିଆ ଗଦାରେ ଜମା କରିବାକୁ ସହରବାସୀ ଦାବି କରିଛନ୍ତି । ପ୍ରଶାସନ ଏହା ଉପରେ ଧ୍ୟାନନଦେଲେ ପ୍ରଦୂଷଣ ହେବା ସାଙ୍ଗକୁ ସହରର ତାପମାତ୍ରା ବୃଦ୍ଧିର ଏହାଯେ ମୁଖ୍ୟ କାରଣ ପାଲଟିବ ସେଥିରେ ସନ୍ଦେହ ନାହିଁ ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ