ସୁବର୍ଣ୍ଣପୁର: ଜିଲ୍ଲା ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦର ଜବଦା ଗାଁ ନର୍ସରୀ ପାଖରେ ଉଦ୍ଧାର ହେଲା ଏକ ଗଳିତ ମୃତଦେହ। ସୂଚନା ପାଇ ବିନିକା ପୋଲିସ ଖବର ପାଇ ଘଟଣାସ୍ଥଳକୁ ଯାଇ ମୃତଦେହକୁ ଜବତ କରିଛି । ମୃତକ ଜବଦା ଗାଁର 35 ବର୍ଷିୟ ରବିନ୍ଦ୍ର ବେହେରା ବୋଲି ଜଣାପଡିଛି ।
ମୃତକର ପରିବାର ଓ ସମ୍ପର୍କୀୟମାନେ ଘଟଣାସ୍ଥଳକୁ ପହଞ୍ଚି ମରଶରୀରକୁ ରବିନ୍ଦ୍ରର ବୋଲି ଚିହ୍ନଟ କରିଛନ୍ତି । ରବିନ୍ଦ୍ର ଗତ ରବିବାର ମଧ୍ୟାହ୍ନରେ ଘରେ ଭୋଜନ କରିବା ପରେ ବୋଲବମ ପୋଷାକ ପିନ୍ଧି ସାଙ୍ଗମେଳରେ ବୋଲବମ ଯିବା ପାଇଁ ବାହାରିଥିଲେ । ସୋମବାର ସନ୍ଧ୍ୟାରେ ଘରେ ନପହଞ୍ଚିବାରୁ ଘର ଲୋକେ ରବିନ୍ଦ୍ରର ସାଙ୍ଗସାଥୀମାନଙ୍କୁ ପଚରାଉଚୁରା କରିଥିଲେ ।
ଆଖପାଖରେ ଥିବା ବିଭିନ୍ନ ଶୈବପୀଠକୁ ଯାଇ ଖୋଜାଖୋଜି ମଧ୍ୟ କରିଥିଲେ । ହେଲେ ରବିନ୍ଦ୍ରର କୌଣସି ସୂଚନା ପାଇ ପାରିନଥିଲେ । ହେଲେ ମଙ୍ଗଳବାର ରବିନ୍ଦ୍ରର ମରଶରୀର ନର୍ସରୀ ପାଖରେ ଏକ ବୁଦାମୂଳେ ପଡିଥିବା ଲୋକେ ଦେଖିବାକୁ ପାଇଥିଲେ । ପରେ ପୋଲିସକୁ ମଧ୍ୟ ଖବର ଦେଲେ । ପୋଲିସ ଘଟଣାସ୍ଥଳକୁ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇଛି । ଏହାସହ ରବିନ୍ଦ୍ର ମୃତ୍ୟୁର ରହସ୍ୟ ଉନ୍ମୋଚନ ପାଇଁ ଅନୁସନ୍ଧାନ ଜାରି ରଖିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ